
ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ
ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇପଡ଼ିଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଯୋଗୁଁ ରାସ୍ତାଘାଟ ମଧ୍ୟ ଓଦା ହୋଇରହୁଛି।ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିଛି। ଏଥିସହ କୋହଲା ପବନ ବହୁଥିବାରୁ ଶୀତର ପ୍ରଭାବ ଆହୁରି ଅନୁଭୂତ ହେଉଛି। ବର୍ଷା ଓ ଥଣ୍ଡା ଯୋଗୁଁ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ଉପୁଜିଛି।ତେବେ ପ୍ରତିକୂଳ ପାଗକୁ ଖାତିର ନକରି ସାପ୍ତାହିକ ହାଟ ଥିବାରୁ ରାଇକିଆ ବଜାରରେ ଲୋକଙ୍କ ଚଳପ୍ରଚଳ ଜାରି ରହିଛି। ଦୂରଦୂରାନ୍ତରୁ ଲୋକେ ଜରୁରୀ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସୁଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ବର୍ଷା ମଧ୍ୟରେ ନିଜ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କ ଖାତାକୁ ଅର୍ଥରାଶି ଆସିଥିବାରୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ, ଗ୍ରାହକ ସେବା କେନ୍ଦ୍ର ଓ ବିଭିନ୍ନ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକରେ ମହିଳାଙ୍କ ଭିଡ଼ ପରିଲକ୍ଷିତ ହେଉଛି। ବର୍ଷା ସତ୍ତ୍ୱେ ଅନେକ ମହିଳା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସେବା କେନ୍ଦ୍ରରେ ଧାଡ଼ିରେ ଠିଆ ହେଉଛନ୍ତି।ଲଗାଣ ବର୍ଷା, ଘନ କୁହୁଡ଼ି ଓ କୋହଲା ପବନ ଯୋଗୁଁ ରାଇକିଆ ଅଞ୍ଚଳର ସାଧାରଣ ଜୀବନଯାତ୍ରା ଏବେ ବେଶ୍ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ପାଗରେ ପରିବର୍ତ୍ତନ ନ ହେଲେ ଜନଜୀବନ ଉପରେ ଏହାର ପ୍ରଭାବ ଆହୁରି ବଢ଼ିବା ଆଶଙ୍କା ରହିଛି।
ସାମ୍ବାଦିକ – ଦ୍ୟୁତି କୃଷ୍ଣ ପଣ୍ଡା




