
ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ଶୁଣାଣି ସୁପ୍ରିମକୋର୍ଟର ଘୁଞ୍ଚିଛି । ଆସନ୍ତା ୭ ତାରିଖ ଦିନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି କରିବେ । ମୁଖ୍ୟ ପ୍ରସଙ୍ଗ ହେଉଛି ଓଡ଼ିଶାର ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟରେ ଦିଆଯାଇଥିବା ଗାଇଡଲାଇନ୍ ପାଳନ କରାଯାଇଛି କି ନାହିଁ । ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରସିଦ୍ଧ ପ୍ରକାଶ ସିଂହ ମାମଲାର ରାୟରେ ନିର୍ଦ୍ଦିଷ୍ଟ କରାଯାଇଥିବା ନିୟମକୁ ସଠିକ୍ ଭାବେ ଅନୁସରଣ କରାଯାଇନାହିଁ। ଏହି ଅଭିଯୋଗକୁ ନେଇ ପିଆଇଏଲରେ ପ୍ରଶ୍ନ ଉଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୟୁପିଏସସିକୁ ୩ ଜଣ ଡିଜି –ରାଙ୍କ ଅଧିକାରୀଙ୍କ ନାଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଜଣେ ଜୁନିଅର ଅଫିସରଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ତାଙ୍କୁ ରାତିଅଧିଆ ପଦୋନ୍ନତି ଦେଇଥିଲେ । ଏହା ଡିଜିପି ଚୟନ ସମ୍ପର୍କିତ ନିୟମ ଓ ପ୍ରକାଶ ସିଂହ ଗାଇଡଲାଇନ୍ର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷର ଦାବି । ଅନ୍ୟପଟେ, ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କାଉଣ୍ଟର ଆଫିଡେଭିଟ୍ରେ ସରକାର କହିଛନ୍ତି ଯେ, ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା। ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ।ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି ।



