
ଭୁବନେଶ୍ୱର: ଓଡ଼ିଶା ଦ୍ବାରା ପ୍ରସ୍ତାବିତ ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ବିଡରମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ପ୍ରକାଶ ପାଇଛି । ୧୬୦ କିଲୋମିଟର ଦୀର୍ଘ ଏହି ଆକ୍ସେସ୍ କଣ୍ଟ୍ରୋଲ୍ଡ ଗ୍ରୀନ୍ଫିଲ୍ଡ କୋଷ୍ଟାଲ ନ୍ୟାସନାଲ ହାଇୱେ ପ୍ରକଳ୍ପକୁ ଦୁଇଟି ପ୍ୟାକେଜରେ ନିର୍ମାଣ କରାଯିବ । ଉଭୟ ପ୍ୟାକେଜ ପାଇଁ ମୋଟ ୧୭ଟି ବିଡ୍ ଦାଖଲ ହୋଇଛି ।
ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଆହ୍ୱାନ କରାଯାଇଥିବା ବିଡ୍ରେ ୭୯.୪ କିଲୋମିଟର ଲମ୍ବା ରାମେଶ୍ୱର-କୋଣାର୍କ ପ୍ୟାକେଜ-୧ ପାଇଁ ୧୦ଟି ବିଡ୍ ମିଳିଛି । ଏହି ରାସ୍ତା ୪ ଲେନ୍ ବିଶିଷ୍ଟ ଆକ୍ସେସ୍ କଣ୍ଟ୍ରୋଲ୍ଡ ହାଇୱେ ହେବ । ସେହିପରି ପ୍ୟାକେଜ-୨ରେ ୮୦.୭ କିଲୋମିଟର ଦୀର୍ଘ କୋଣାର୍କ-ପାରାଦ୍ବୀପ ପାଇଁ ୭ଟି ବିଡ୍ ମିଳିଛି । ଏହି ରାସ୍ତା ୨ ଲେନ୍ ବିଶିଷ୍ଟ ହେବ ଏବଂ ଏଥିରେ ପେଭ୍ଡ୍ ସୋଲ୍ଡର ରହିବ । ପ୍ରକଳ୍ପଟି ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍ (HAM)ରେ କାର୍ଯ୍ୟକାରୀ ହେବ ।ଏହି ନୂତନ କରିଡର୍ NH-16 ଓ NH-316ର ବିକଳ୍ପ ମାର୍ଗ ଭାବେ କାର୍ଯ୍ୟ କରିବ । ଏହା ପୁରୀ, କୋଣାର୍କ, ପାରାଦ୍ବୀପ ବନ୍ଦର ଏବଂ ଆଗାମୀ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସହ ଯୋଗାଯୋଗକୁ ଅଧିକ ସୁଗମ କରିବ । ଏହା ସହ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ଭଳି ବିକାଶଶୀଳ ବନ୍ଦରଗୁଡ଼ିକୁ ମଧ୍ୟ ଦ୍ରୁତ ପରିବହନ ସୁବିଧା ମିଳିବ । ଏହି କରିଡର୍ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଉନ୍ନତ ସଡ଼କ ଯୋଗାଯୋଗ ସହ ଯୋଡ଼ିବ ।ବର୍ତ୍ତମାନର NH-16 ଗୋଲ୍ଡେନ୍ କ୍ୱାଡ୍ରିଲାଟେରାଲର ଅଂଶ ହୋଇ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଛି । ଅନ୍ୟପକ୍ଷରେ NH-316 ଭୁବନେଶ୍ୱରରୁ ପୁରୀ ଦେଇ ସାତପଡ଼ା ଓ କୋଣାର୍କ ଆଡ଼କୁ ବିସ୍ତାରିତ ହୋଇଛି । ବିଶେଷକରି ପୁରୀ-ସାତପଡ଼ା ଓ ପୁରୀ-କୋଣାର୍କ ରାସ୍ତାରେ ପ୍ରାୟ ୪୦% ଅଞ୍ଚଳରେ ରିବନ୍ ଡେଭଲପମେଣ୍ଟ ହୋଇଥିବାରୁ ସ୍ଥାନୀୟ ଯାତାୟାତ ଉପରେ ଚାପ ଅଧିକ ରହୁଛି । ଫଳରେ ଏହି ରାସ୍ତାଗୁଡ଼ିକ ଦୀର୍ଘ ଯାତ୍ରା ଓ ଉଚ୍ଚଗତିର ଯାନ ଚଳାଚଳ ପାଇଁ ଅନୁକୂଳ ହେଉନାହିଁ ।
ନୂଆ ରାମେଶ୍ୱର-ପାରାଦ୍ବୀପ କରିଡର୍ ଏହି ସମସ୍ୟାର ସମାଧାନ କରିବା ସହ ଦ୍ରୁତ ଆକ୍ସେସ୍ କଣ୍ଟ୍ରୋଲ୍ଡ ଯାତାୟାତର ବିକଳ୍ପ ଯୋଗାଇବ । ଏହାଦ୍ୱାରା ଇନ୍ଧନ ବ୍ୟବହାର, କାର୍ବନ୍ ନିର୍ଗମନ ଓ ଯାନ ପରିଚାଳନା ଖର୍ଚ୍ଚ କମିବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବା ସହ ଉପକୂଳ ଓଡ଼ିଶାରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ ବିକାଶକୁ ଏହି କୋଷ୍ଟାଲ ହାଇୱେ ନୂଆ ଗତି ଦେବ ବୋଲି ଆଶା କରାଯାଉଛି ।



