
ଭୁବନେଶ୍ବର/ଭବାନୀପାଟଣା: ଲଘୁଚାପ ଜନିତ ବର୍ଷାରେ ଭିଜିଲା ରାଜ୍ୟ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ 3ଟି ଜିଲ୍ଲାକୁ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ଆଜି କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି ।କଳାହାଣ୍ଡି ଜିଲ୍ଲାରେ ଲାଗି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଘର ଭିତରେ ବର୍ଷା ପାଣି ପଶିଥିବା ମଧ୍ୟ ଦେଖିବାକୁ ମିଳିଛି । ନର୍ଲା ଅଞ୍ଚଳରେ ୪୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଜୁନାଗଡ ବ୍ଲକରେ ସର୍ବନିମ୍ନ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।ପ୍ରବଳ ବର୍ଷାର ପୂର୍ବାନୁମାନକୁ ନେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୧ ତାରିଖରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ । ଏଥିରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ସାମିଲ ରହିଛି। ଏହାସହ ଓଏଭି, କେଭି, ଇଏମଆରଏସ୍ ଏବଂ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।
ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଆଦି 3 ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷାର ପ୍ରକୋପ ସହିତ ପବନର ବେଗ 40 କିମିରୁ 50 କିମି ପ୍ରତି ଘଣ୍ଟା ରହିବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ମାଲକାନଗିରି, ନୂଆପଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଂଜାମ, ଗଜପତି ଆଦି ଜିଲ୍ଲା ମାନଙ୍କରେ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ 30ରୁ 40 କିମି ରହିବା ସହିତ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହିତ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି ।
ଲଘୁଚାପ କ୍ଷେତ୍ର ଯୋଗୁଁ ସମୁଦ୍ର ପ୍ରାୟତଃ ଅଶାନ୍ତ ରହିବ । ସମୁଦ୍ର ମଧ୍ୟରେ ପବନର ବେଗ 40ରୁ 50 କିମି ରହିବା ସହିତ ଏହା ସର୍ବାଧିକ 60 କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ଏଥିପାଇଁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି ।







