
ବ୍ରହ୍ମପୁର: କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲାରେ ତଦନ୍ତ ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ ପହଞ୍ଚି ଆଶୁତୋଷଙ୍କ ପରିବାରର ୫ ସଦସ୍ୟଙ୍କ ବୟାନ ରେକର୍ଡ କରିଛି ୪ ଜଣିଆ ଟିମ୍। ରବିବାର ବିଳମ୍ବିତ ରାତିରେ ଆଶୁତୋଷଙ୍କ ବାପା, ମାଆ, ଦୁଇ ଭଉଣୀ ଓ ଆଈଙ୍କୁ ପଚରାଉଚରା କରାଯାଇଛି।
ଜୁନ୍ ୫ ତାରିଖରେ ବିଜିପୁର ସ୍ଥିତ ପୋଲିସ କ୍ୱାର୍ଟର୍ସରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆଶୁତୋଷଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏମକେସିଜି ଓ ପରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଜୁନ୍ ୧୭ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆଶୁତୋଷ। ମୃତ୍ୟୁ ପୂର୍ବରୁ ତାଙ୍କର ଦୁଇ ଥର ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ସେଥିରେ ସ୍ତ୍ରୀ ଓ ଶାଳକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସେ ଅଭିଯୋଗ କରିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗରେ କେହି ଗିରଫ ହୋଇ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଶୁତୋଷଙ୍କ ପରିବାର ଲୋକ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ମୃତକଙ୍କ ଭଉଣୀ ନିବେଦିତା ଦେବୀଙ୍କ ସୂଚନା ଅନୁସାରେ, ଆସନ୍ତା ଦୁଇ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ପୁଣିଥରେ ପରିବାର ସହ ଆଲୋଚନା କରିପାରେ।








