
ଦେବଗଡ଼:ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଶିଶୁମାନେ ରହୁଥିବା ସମସ୍ତ ହୋମ୍, ହଷ୍ଟେଲ୍, ଆଶ୍ରୟସ୍ଥଳ, ଆଶ୍ରମ, ଅନାଥାଶ୍ରମ କିମ୍ବା ଆବାସିକ ଗୃହ ଗୁଡିକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଏସଡିପିଓ ରମେଶ ମହାନା ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ ,ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟା ସୁଷମା ମଞ୍ଜରୀ ମହାପାତ୍ର , ସଦସ୍ୟା ଗାୟତ୍ରୀ ଦିବେଦୀ,ନିର୍ଜନା ମାହାର,ସୁମିତ୍ରା ପୁରୋହିତ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ, ସିଡିପିଓ ବନ୍ଦିତା ରାଉତରାୟ, ତିଲେଇବଣି ବିଇଓ ସିକରେନ୍ଦ୍ର ଛତ୍ରିଆ,ପ୍ରଫୁଲ୍ଲ କାଲୋ,ସୁରକ୍ଷା ଅଧିକାରୀ ପଙ୍କଜିନୀ ସାହୁ,ଜ୍ୟୋସ୍ନା ତନ୍ତୀ,ଲିଗାଲ ପ୍ରବେଶନ ଅଫିସର ସୁଧୀର ଜେନା ପ୍ରମୁଖ ଯୋଗ ଦେଇ ହୋମ,ହଷ୍ଟେଲ୍, ଆଶ୍ରୟସ୍ଥଳ, ଆଶ୍ରମ, ଅନାଥାଶ୍ରମ କିମ୍ବା ଆବାସିକ ଗୃହ ଗୁଡିକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ବିହିତ ପଦକ୍ଷେପ ପାଇଁ ମତାମତ ଦେଇଥିଲେ। ବୈଠକକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପରିଚାଳନା କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଧିକାରୀ ଓ ପୁଲିସ ପ୍ରତିନିଧିଙ୍କୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରୀୟ ଯାଞ୍ଚ କମିଟି ଗଠିତ ହୋଇଥିଲା।କିଶୋର ନ୍ୟାୟ ଆଇନ ଅନୁଯାୟୀ,ଶିଶୁମାନଙ୍କୁ ରଖୁଥିବା ପ୍ରତ୍ୟେକ ସଂସ୍ଥା ଅନୁଦାନ ପାଉଥାଉ କିମ୍ବା ପାଉ ନ ଥାଉ,ପଞ୍ଜୀକୃତ ହେବା ବାଧ୍ୟତାମୂଳକ ଏବଂ ବିନା ପଞ୍ଜୀକରଣରେ ସଂସ୍ଥା ଚଲାଇବାଏକ ଦଣ୍ଡନୀୟ ଅପରାଧ।ସରକାରୀ,ସରକାରୀ-ସାହାଯ୍ୟପ୍ରାପ୍ତ,ବେସରକାରୀ(ଏନଜିଓ),ଟ୍ରଷ୍ଟ,ଧାର୍ମିକ କିମ୍ବା ଚାରିଟେବୁଲ୍ ସଂସ୍ଥା ଦ୍ୱାରା ପରିଚାଳିତ ଶିଶୁମାନଙ୍କୁ ରଖୁଥିବା ସମସ୍ତ ହୋମ୍,ହଷ୍ଟେଲ୍, ଆଶ୍ରୟସ୍ଥଳ,ଆଶ୍ରମ, ଅନାଥାଶ୍ରମ କିମ୍ବା ଆବାସିକ ଗୃହ ଗୁଡିକର ସୁରକ୍ଷା ବ୍ୟବସ୍ଥା ତୁରନ୍ତ ଯାଞ୍ଚ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି।ଏହାସହିତ ଆବାସିକ ଯତ୍ନରେ ଥିବା ପ୍ରତ୍ୟେକ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ନିୟନ୍ତ୍ରଣ, ରାତ୍ରିକାଳୀନ ତଦାରଖ,ଆଲୋକ ବ୍ୟବସ୍ଥା ଏବଂ ହେଲ୍ପଲାଇନ୍ ପ୍ରକ୍ରିୟାର ଯାଞ୍ଚ କରାଯିବା ସହ ପୁରୁଷ କର୍ମଚାରୀଙ୍କ ସ୍ଥାନରେ ଯଥାସମ୍ଭବ ମହିଳା କର୍ମଚାରୀ ନିଯୁକ୍ତ ନିଶ୍ଚିତ କରାଯିବ ଏବଂ ଝିଅମାନେ ରହୁଥିବା ଅନୁଷ୍ଠାନରେ ଏହା ବାଧ୍ୟତାମୂଳକ ଏବଂ ସମସ୍ତ କର୍ମଚାରୀଙ୍କର ପୁଲିସ ଭେରିଫିକେସନ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।ଗଠିତ ହୋଇଥିବା ଯାଞ୍ଚ କମିଟି ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାରେ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ଆବାସିକ ହଷ୍ଟେଲ,ଆଶ୍ରମ, ଆଶ୍ରୟସ୍ଥଳୀ ଓ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକୁ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ।ଏହାସହିତ ଅଣପଞ୍ଜୀକୃତ ସଂସ୍ଥା ଗୁଡିକ ପଞ୍ଜୀକରଣ ପାଇଁ ଓ କାର୍ଯ୍ୟରତ କର୍ମଚାରୀମାନେ ପୁଲିସ ଯାଞ୍ଚ ରିପୋର୍ଟ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନ କରି ପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।








