
ରାଇକିଆ: ଭାଜପା ରାଇକିଆ ମଣ୍ଡଳ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ”ସେବା ରେ ମୋର ଯୋଗଦାନ”ଅବସରରେ ‘ ଏକ୍ ପେଡ୍ ମା କେ ନାମ ’ କାର୍ଯ୍ୟକ୍ରମ ମଙ୍ଗଳବାର ରାଇକିଆସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ରାଇକିଆ ପଞ୍ଚାୟତର ସରପଞ୍ଚ ତଥା ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଗଛର ଯତ୍ନ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ଏକ୍ ପେଡ୍ ମା କେ ନାମ ’ ଅଭିଯାନର ଉଦ୍ଦେଶ୍ୟ ଅନୁଯାୟୀ ରl ମା’ଙ୍କ ସମ୍ମାନରେ ରାସ୍ତା ର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଥିଲେ। ଗଛ ଲଗାଇବା ସହ ଏହାର ନିୟମିତ ଯତ୍ନ ନେବା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ସାଂସଦ କ୍ଷେତ୍ର ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା, ଏବଂ ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗାଳ ଙ୍କ ସମେତ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ବକ୍ତାମାନେ କହିଥିଲେ, ପରିବେଶର ସନ୍ତୁଳନ ରକ୍ଷାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନକୁ ଦିନ ଜଙ୍ଗଲ ଓ ସବୁଜିମା ହ୍ରାସ ପାଉଥିବା ବେଳେ ବୃକ୍ଷରୋପଣ ସହ ଲଗାଯାଇଥିବା ଚାରାର ସୁରକ୍ଷା ଓ ପରିପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରତ୍ୟେକ ପରିବାର ଓ ବ୍ୟକ୍ତି ନିଜ ମା’ଙ୍କ ସମ୍ମାନରେ ଅତି କମ୍ରେ ଗୋଟିଏ ଗଛ ଲଗାଇଲେ ଏହା ପରିବେଶ ସୁରକ୍ଷାରେ ଏକ ସାମୂହିକ ପଦକ୍ଷେପ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
ଏଥିସହ ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ସମାଜସେବା, ପରିବେଶ ସୁରକ୍ଷା ଓ ଜନସଚେତନତା ଭଳି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇଥିଲେ। ରାଇକିଆ ମଣ୍ଡଳର ବିଭିନ୍ନ ଅଞ୍ଚଳରେ ଏଭଳି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ପରିବେଶ ସୁରକ୍ଷାରେ ନିଜ ନିଜ ସ୍ତରରେ ଅବଦାନ ରଖିବାକୁ ସଂକଳ୍ପବଦ୍ଧ ହୋଇଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







