
ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ (୩୫) ବୋଲି ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଘରୋଇ କଳହ ହୋଇଥିଲା। କଳହ ଉଗ୍ର ରୂପ ନେବା ପରେ ଅଭିଯୁକ୍ତ କିଶୋର ଓରାମ ଏକ କାଠ ଫାଳିଆରେ ତାଙ୍କ ବଡ଼ ଭାଇ ସୁଦର୍ଶନ ଓରାମଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି। ଏ ନେଇ ଲଖନପୁର ଥାନାରେ କେସ ନମ୍ବର ୨୭୪ ତା ୦୪.୧୦.୨୦୨୬, ଧାରା ୧୦୩(୧) ବିଏନଏସ ଅନୁଯାୟୀ ମାମଲା ରୁଜୁ ହୋଇଛି। ଲଖନପୁର ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି। ପୁଲିସ ଶବ ଜବତ କରିଛି।








