
୧୭ ଅଭିଯୋଗର ଶୁଣାଣୀ, ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି
ରାଇକିଆ: ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତବାସୀ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଉପସ୍ଥାପନ କରିଥିଲେ।ଜନଶୁଣାଣୀରେ ମୋଟ ୧୭ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୧୧ଟି ସାମୂହିକ ଓ ୬ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଭତ୍ତା ପ୍ରଦାନ, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ମରାମତି, ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ।
ଶ୍ରୀ ସାହୁ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗ ଦ୍ୱାରା ସମସ୍ୟାର ଯାଞ୍ଚ କରାଯାଇ ନିୟମାନୁଯାୟୀ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ।ଜନଶୁଣାଣୀ ରେ ମଣ୍ଡାକିଆ ସରପଞ୍ଚ, ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ, ବିଏସ୍ଏସ୍ଓ ରାମକୃଷ୍ଣ ବେହେରା,ଏପିଓ କେଦାର ପଣ୍ଡା, ଏଇଇ ବଣ୍ଟି ଚୌଧୁରୀ, ଓଏଲ୍ଏମ୍ ଜୟଦେବ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୀନକେତନ ପ୍ରଧାନ,ଏଡିଓ ମମତା ଦିଗାଳ ଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ।
ରିପୋର୍ଟ: ଦ୍ୟୁତି କୃଷ୍ଣ ପଣ୍ଡା








