ଭୁବନେଶ୍ୱର, ୬ ।୧୦ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଗଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଅଛି ।
ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ ।
ବୈଠକରେ ଆଗାମୀ ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ, ଅଦ୍ୟତନ ଓ ତ୍ରୁଟିଶୂନ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରେ ସଠିକ ଭାବେ ସ୍ଥାନ ପାଇବା ଏବଂ ଅଯୋଗ୍ୟ, ସ୍ଥାନାନ୍ତରିତ କିମ୍ବା ମୃତ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବ ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ବିଶେଷକରି, ପ୍ରତ୍ୟେକ ରାଜନୈତିକ ଦଳ ନିଜର ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି ।
ସମସ୍ତ ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ୧୫ ସୁଦ୍ଧା ବିଏଲଏଙ୍କ ତଥ୍ୟ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଗ୍ରାମାଞ୍ଚଳ ପାଇଁ ବିଡିଓଙ୍କ ପାଖରେ ସହରାଞ୍ଚଳ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର /ଆସିଷ୍ଟାଣ୍ଟ କମିଶନରଙ୍କ ପାଖରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି ।
ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ କହିଥିଲେଯେ, ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଏକ ସୁସ୍ଥ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥାର ମୂଳ ଆଧାର । ତେଣୁ ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା, ନିରପେକ୍ଷତା ଓ ସମସ୍ତଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ । ରାଜନୈତିକ ଦଳଗୁଡିକର ସକ୍ରିୟ ସହଯୋଗ ଦ୍ୱାରା ଭୋଟର ତାଲିକାକୁ ଅଧିକ ବିଶ୍ୱସନୀୟ ଓ ତ୍ରୁଟିମୁକ୍ତ କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବୈଠକରେ ଘରକୁ ଘର ସର୍ଭେ ସମୟରେ ଭୋଟରମାନଙ୍କ ସହଯୋଗ, ସର୍ଭେ ଦଳଙ୍କ ଦ୍ୱାରା ତଥ୍ୟ ସଂଗ୍ରହ, ଭୋଟର ତାଲିକାରେ ନାମ ଯୋଗ, ବାଦ୍ ଓ ସଂଶୋଧନ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ବାଦ୍ନପଡେ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ନହୁଏ, ସେଥିପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସଚେତନ ଓ ସହଯୋଗୀ ଭୂମିକା ଗ୍ରହଣ କରିବାକୁ ଆୟୋଗ ପକ୍ଷରୁ ଆହ୍ୱାନ କରାଯାଇଛି । ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢୀଙ୍କ ସମେତ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ, ଉପସଚିବ ଦୁର୍ଗା ଚରଣ ମୁର୍ମୁ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ ।
ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ
ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…








