
୩ ବିଶ୍ୱ ବିଦ୍ୟାଳୟ ଓ ୨୦୨ ମହାବିଦ୍ୟାଳୟରେ ହେବ ଚୟନ
ଭୁବନେଶ୍ୱର, ୭ ।୧୦ : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୭ରେ ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ ମହାବିଦ୍ୟାଳୟ ଓ ୧୩ ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୩୪୧ ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରନେତା ବାଛିବା ପାଇଁ ନିର୍ବାଚନ କରିବେ ।
ସେହିପରି ଭାବେ ୨୦୨ ମହାବିଦ୍ୟାଳୟ ଓ ୩ ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୨୦୫ ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ ପଦ୍ଧତିରେ ଛାତ୍ରନେତା ବାଛିବେ ବୋଲି ସୂଚନା ମିଳିଛି ।
୩ଟି ବିଶ୍ୱ ବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଛାତ୍ରନେତା ଚୟନ କରିବେ । ଅନ୍ୟ ୧୩ ବିଶ୍ୱ ବିଦ୍ୟାଳୟ ନିର୍ବାଚନ କରି ଛାତ୍ରନେତା ବାଛିବେ ।
ଆଜି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନୋମିନେସନ୍ ଦାଖଲ କରିପାରିବେ । ଅକ୍ଟୋବର ୯ ତାରିଖ ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ନୋମିନେସନ୍ ଯାଞ୍ଚ କରାଯିବ । ଅକ୍ଟୋବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ତରଫରୁ ବୈଧ ନୋମିନେସନ୍ ତାଲିକା ପ୍ରକାଶିତ ହେବ ।
ଅକ୍ଟୋବର ୧୦ ସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ମଧ୍ୟରେ ଯେଉଁ ପ୍ରାର୍ଥୀ ନିଜର ନୋମିନେସନ୍ ପ୍ରତ୍ୟାହାର କରିବାକୁ ଚାହୁଁଥିବେ, ସେ ତାହାକୁ ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୧୦ ଅପରାହ୍ନ ୩ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନ ତରଫରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ଅକ୍ଟୋବର ୧୪ରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ସକାଳ ୮ ଘଟିକାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ । ଭୋଟିଙ୍ଗ ପରେ ଅକ୍ଟୋବର ୧୫ ଦିନ ହିଁ ଭୋଟ ଗଣତି ହେବା ସହ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଅକ୍ଟୋବର ୧୬ ତାରିଖ ଦିନ ବିଜୟୀ ଛାତ୍ରନେତାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।








