
ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍, ଟ୍ରକ୍, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ବନ୍ଦ୍ ପ୍ରଭାବ ପଡ଼ିଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ସହ ଜରୁରୀ ସେବା ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ପ୍ରଶାସନ ନଜର ରଖିଛି ।
ବନ୍ଦ ଡାକରାର ପ୍ରଭାବ ସମ୍ବଲପୁରରେ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଆଜି ସକାଳ 6ଟାରୁ ସମ୍ବଲପୁର ସହରର ଦୋକାନ, ବଜାର, ସ୍କୁଲ, କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରମୁଖ ବନ୍ଦ ଥିବା ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲା କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଅମିତ ଗୁରୁଙ୍କ ନେତୃତ୍ୱରେ ରେଳ ଷ୍ଟେସନ ଆଗରେ ପ୍ରତିବାଦ କରିଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ଷ୍ଟେସନ ଭିତରକୁ ପଶିବାକୁ ଦେଇ ନଥିଲେ । କିଛି କଂଗ୍ରେସ କର୍ମୀ ରେଳ ଲାଇନକୁ ଓହ୍ଲାଇ ପ୍ରତିବାଦ କରୁଥିବା ବେଳେ ତାଙ୍କୁ ପୋଲିସ ଉଠାଇ ନେଇଛି । ପରେ କଂଗ୍ରେସ କର୍ମୀମାନେ ସମ୍ବଲପୁର ଲକ୍ଷ୍ମୀ ଟକିଜ ଚକ ସହ ଅଇଁଠାପାଲି ଛକ ଅଞ୍ଚଳରେ ପିକେଟିଂ କରିଥିଲେ ।
ଆଜି ସମ୍ବଲପୁର ସହରକୁ ଗ୍ରାମାଞ୍ଚଳରୁ କିଛି ଗରିବ ଶ୍ରେଣୀର ଲୋକ ଅସଚେତନତା ବଶତଃ ନିଜ କାମ ଆସିଯାଇଥିବା ଦେଖିବାକୁ ମିଳିଥିଲା । ବସ୍ ସେବା ପ୍ରଭାବିତ ହେବାରୁ ସେମାନେ ଗାଁକୁ ଫେରିପାରି ନଥିଲେ । ଏଥିପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ସେମାନଙ୍କ ପାଇଁ ଏକ ଅଟୋ ଭଡା କରି ପଠାଯାଇଥିବାର ଦେଖିବାକୁ ମିଳିଛି । ଏମିତି ଜଣେ ମହିଳା ହେଲେ ମାନେଶ୍ଵର ଅଞ୍ଚଳର ହେମବତୀ । ସେ ଆଜି ସକାଳୁ ମେଡିକାଲ କାମରେ ସମ୍ବଲପୁର ଆସିଥିଲେ । ଫେରିବା ସମୟରେ ବସ ନମିଳିବାରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଅଟୋ ଭଡା କରି ପାଠାଯାଇଛି ।
ଜିଲ୍ଲା କଂଗ୍ରେସ ସଭାପତି ଅମିତ ଗୁରୁ କହିଛନ୍ତି, “ଏହି ବନ୍ଦରୁ ସ୍ୱାସ୍ଥ୍ୟ ସେବା ପରି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ବନ୍ଦକୁ ଶାନ୍ତିଶୃଙ୍ଖଳା ସହ ପାଳନ କରାଯାଉଛି । ଲୋକେ ନିଜ ପକ୍ଷରୁ ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ MMDR ବିଲ୍ ପ୍ରତ୍ୟାହାର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଆଦି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଯେଉଁ ଗରିବ ଲୋକମାନେ ଅସଚେତନତା ବଶତଃ ସହରକୁ ଆସି ଯାଇଛନ୍ତି, ସେହିଭଳି କିଛି ଲୋକଙ୍କୁ ନିଜ ଖର୍ଚ୍ଚରେ ଅଟୋ ଜରିଆରେ ସେମାନଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଛି ।
ଯୁବ କଂଗ୍ରେସ ନେତା ମୋହନ ସାହା କହିଛନ୍ତି, “ଆଜି କଂଗ୍ରେସ କର୍ମୀମାନେ ରେଳ ଷ୍ଟେସନକୁ ଆନ୍ଦୋଳନ ପାଇଁ ଯାଉଥିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କ ବ୍ୟାରିକେଟିଂ କରି ଅଟକାଇଥିଲା । ଏହାସହ କିଛି ଟ୍ରେନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡି ଦିଆଯାଇଛି ।”
ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ବଢ଼େଇମୁଣ୍ଡା ଛକରୁ ଆରମ୍ଭ କରି ହସ୍ପିଟାଲ, ରେଳ ଷ୍ଟେସନ, ବ୍ୟାପାର, ଘୋଡ଼ମାଳ, କିଷାନ ଛକ ଏବଂ ଷ୍ଟେସନ ଛକକୁ ବନ୍ଦ ରଖାଯାଇଛି । ଜିଲ୍ଲାରେ ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଏବଂ ମେଡିସିନ ଷ୍ଟୋର ଭଳି ଜରୁରୀକାଳୀନ ସେବା ଖୋଲା ରହିଛି । ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରହିଛି । ଝାରସୁଗୁଡ଼ା କଂଗ୍ରେସ କର୍ମୀ ଓ ସମର୍ଥକମାନେ ପ୍ରତିବାଦ କରୁଛନ୍ତି ।
ନୂଆପଡ଼ା ଜିଲ୍ଲାରେ ମଧ୍ୟ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ନୂଆପଡ଼ା ସଦର ମହୁକମା ସ୍ଥିତ ଏକତା ଛକ, ଖଡ଼ିଆଳ, ଆମ୍ବେଦକର ଛକ, ବୋଡେନ ବସଷ୍ଟାଣ୍ଡ, ସିନାପାଲି ବସଷ୍ଟାଣ୍ଡ, କୋମନା ବସଷ୍ଟାଣ୍ଡ ପାଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନୂଆପଡା ଜିଲ୍ଲା ବ୍ୟାପୀ ଦୋକାନ ବଜାର, ଗାଡି ମୋଟର, ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟୀ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି ।
ଓଡିଶା ବନ୍ଦ୍ ଡାକରାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ସକାଳୁ ସକାଳୁ କଂଗ୍ରେସ୍, ସିପିଆଇ ଓ ସିପିଏମ୍ଏଲ୍କର୍ମୀ ପିକେଟିଂ କରି ସହରରେ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ବନ୍ଦ ଯୋଗୁଁ ବସ୍ ସମେତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ଠପ୍ ହୋଇପଡ଼ିଛି ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି କେବଳ ଆନ୍ଦୋଳନକାରୀମାନେ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିବା ନଜରକୁ ଆସିଛି ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ହସ୍ପିଟାଲ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାଗୁଡ଼ିକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି
କଳାହାଣ୍ଡି ଜିଲ୍ଲାର ସିପିଆଇ ନେତା ସଞ୍ଜୟ ସୁନାନୀ କହିଛନ୍ତି , “ଆଜି କିଛି ପିଲାଙ୍କର ପରୀକ୍ଷା ଅଛି, ତେଣୁ ଯେଉଁ ପରୀକ୍ଷାର୍ଥୀମାନେ ଅଛନ୍ତି ସେମାନେ ଯାଇପାରିବେ ଜରୁରୀକାଳୀନ ପରିସ୍ଥିତି, ଯେପରିକି ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟ କିମ୍ବା ଆଗରୁ ତାରିଖ ଧାର୍ଯ୍ୟ ହୋଇଥିବା ବିବାହ ଆଦି କାର୍ଯ୍ୟକ୍ରମ ପାଇଁ ଲୋକମାନେ ଯାତାୟାତ କରିପାରୁଛନ୍ତି; ଏଥିରେ କୌଣସି ବାରଣ ନାହିଁ । ସାଧାରଣ ସେବା ଓ ବ୍ୟବସାୟିକ ଅନୁଷ୍ଠାନ ଯେପରିକି ବଜାର, ହାଟ, ଦୋକାନ, ଗାଡ଼ିଘୋଡ଼ା ଏବଂ ଟ୍ୟାକ୍ସି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି ।”








