
ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେଡି ସେବାରେ ବିଶ୍ୱାସ କରେ, ବିକାଶରେ ବିଶ୍ୱାସ କରେ । ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇ ପାରିଥିଲା । ହେଲେ ଡବଲ ଇଞ୍ଜିନ ସରକାର ଅଢେଇ ବର୍ଷରେ ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି। ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ନବୀନ ଆହ୍ଵାନ ଦେଇଛନ୍ତି ।
ବିଜେଡି ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏହି ସମାବେଶରେ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ପଦଯାତ୍ରା ନଭେମ୍ବର ଦୁଇ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାରରୁ ଅଧିକ ଜନ ସମାବେଶ ହେବ ।








