
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପୂର୍ବରୁ ହିଂସା। ପୂର୍ବ ଶତ୍ରୁତାରୁ ଦେବରାୟ କଲେଜରେ ନିର୍ବାଚନୀ ହିଂସା ଉପୁଜିଛି । ଗୁରୁବାର ସନ୍ଧ୍ୟାରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ୟାଟ ଓ ହକି ଷ୍ଟିକ୍ରେ ପରସ୍ପର ସହ ମାର୍ପିଟ୍ ଲାଗିଛନ୍ତି । ଏଥିରେ ୨ଜଣ ନାବାଳକ ଆହତ ହୋଇଛନ୍ତି । ଜଣଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିବା ବେଳେ ଅନ୍ୟଜଣେ ନାବାଳକର ଏକାଧିକ କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଇଛି । ଆକ୍ରମଣ ବେଳେ କଲେଜ ଆଖପାଖ ଅଞ୍ଚଳର ବାସିନ୍ଦା ଡରିଯାଇଥିଲେ । ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଛି । ପୁଲିସ ଘଟଣାସ୍ଥଳରୁ କିଛି ଅଣଛାତ୍ରଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ।
ପୁଲିସ ତନାଘନାରୁ ଜଣାପଡି଼ଛି, ଗତ ଗଣେଶ ପୂଜା ବେଳେ ଜଣେ ନାବାଳକ ଉକ୍ତ କଲେଜର ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲା । କଲେଜର କିଛି ସହପାଠୀ ସମେତ ଅନ୍ୟ ଅଣଛାତ୍ରମାନଙ୍କ ସହ ଏନେଇ ଝଗଡ଼ା ହୋଇଥିଲା । ପୂର୍ବ ଶତ୍ରୁତାରୁ ଆଜି ଆକ୍ରମଣ ଘଟିଥିବା ଅନୁମାନ କରୁଛି ପୁଲିସ । କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ କରି ଆଜିଠୁ କଲେଜ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯିବ ।








