
ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳ 10ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନୋମିନେସନ ଦାଖଲ କରିପାରିବେ । ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ । ସନ୍ଧ୍ୟା 5ଟାରେ ବୈଧ ନାମ ପ୍ରକାଶିତ ହେବ । ଆଗାମୀ ଛାତ୍ର ସଂଘ ନିର୍ବାଚନ ପୂର୍ବରୁ କଲେଜ କ୍ୟାମ୍ପସ ଗୁଡ଼ିକରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି ।
ନାମାଙ୍କନ ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ (BJD)ର ଛାତ୍ର ଶାଖା ପ୍ରାର୍ଥୀଙ୍କ ତାଲିକା ଘୋଷଣା ନକରିବାକୁ ନିଷ୍ପତ୍ତି ନେଇଛି । ସେପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ଛାତ୍ର କଂଗ୍ରେସ ଅଳ୍ପ କିଛି କଲେଜରେ ପ୍ରାର୍ଥୀ ଘୋଷଣା କରିଛନ୍ତି ।
ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ, ରାଜ୍ୟର ଅନେକ କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କ ବାସଭବନ ଏବଂ କ୍ୟାମ୍ପସରେ ଥିବା ଏକ ହଷ୍ଟେଲ ନିକଟରେ ବୋମା ଆକ୍ରମଣ ପରେ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ସେହିପରି କୋରେଇ କାହ୍ନୁଚରଣ ମହାବିଦ୍ୟାଳୟ ଓ ମୁଗୁପାଳରେ ଅବସ୍ଥିତ ଶାରଦା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ୍ ହୋଇଛି । ସେପଟେ ଆଜି ନୋମିନେସ ଦାଖଲ ଥିବାରୁ ଜିଲ୍ଲାର ଅନ୍ୟ କଲେଜ ଗୁଡ଼ିକରେ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ।
ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି (ଶନିବାର) ସକାଳ 10ଟାରୁ ଅପରାହ୍ନ 1ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ସମୟ ରହିଛି । ପରେ ଅପରାହ୍ନ 3ଟାରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ହେବ । 14 ଅକ୍ଟୋବରରେ “ମୁଁ କାହିଁକି ଠିଆ ହୋଇଛି (Why I Stand For)” ବୈଠକ ହେବ । 15 ଅକ୍ଟୋବରରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ଚାଲିବ, ପରେ ଗଣନା ଆରମ୍ଭ ହେବ । 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।








