
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜିଏସଟି ପରିଷଦର ୫୭ତମ ବୈଠକ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ମନୋନୀତ ମନ୍ତ୍ରୀମାନଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ପ୍ରତିନିଧିତ୍ୱ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ବୈଠକରେ ଯୋଗ ଦେଇ ରାଜ୍ୟର ଦାବି ଉପସ୍ଥାପନ କରିବା ସହ ପ୍ରମୁଖ ସଂସ୍କାରଗୁଡ଼ିକ ଉପରେ ଉପସ୍ଥାପନ କରିଛନ୍ତି ।
ବୈଠକରେ ଜିଏସଟିକୁ ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଯାହା ଦ୍ୱାରା ଏହାର ଅନୁପାଳନ ସହଜ ହୋଇପାରିବ । GSTର ସରଳୀକରଣ ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଏହା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରାଯାଇପାରିବ । କରଦାତାଙ୍କ ପାଇଁ ଜିଏସଟି ପ୍ରକ୍ରିୟାକୁ ଅଧିକ ସରଳ, ଶୀଘ୍ର, ସ୍ୱଚ୍ଛ ଏବଂ ସହଜ କରିବା ପାଇଁ, ପରିଷଦ ବିଭିନ୍ନ ପଦକ୍ଷେପ ଉପରେ ବିଚାରବିମର୍ଶ ହୋଇଛି । ପ୍ରସ୍ତାବିତ ସଂସ୍କାରଗୁଡ଼ିକ ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପ୍ରକୃତ କରଦାତାମାନଙ୍କର ଅନୁପାଳନ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ।
ସିଷ୍ଟମ-ଆଧାରିତ ପ୍ରୋସେସିଙ୍ଗ ଓ ରିଫଣ୍ଡ ସମ୍ପର୍କୀତ ମଞ୍ଜୁରୀ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହା ଦ୍ୱାରା କରଦାତାଙ୍କର ତଥ୍ୟକୁ ସ୍ୱୟଂଚାଳିତ ଭାବେ ପ୍ରକ୍ରିୟା କରାଯାଇ ସେମାନଙ୍କ ଆବଶ୍ୟକ ରିଫଣ୍ଡକୁ ମଞ୍ଜୁରୀ ମଧ୍ୟ ଦିଆଯାଇପାରିବ । ଫଳରେ ପ୍ରକୃତ କରଦାତା ଅଧିକ ସ୍ୱଚ୍ଛତା ସହିତ ଶୀଘ୍ର ରିଫଣ୍ଡ ପାଇପାରିବେ । ଶୂନ୍ୟ ଶୁଳ୍କ ଯୋଗାଣ ପାଇଁ ବ୍ୟବହୃତ ପୁଞ୍ଜିଗତ ସାମଗ୍ରୀ ଉପରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ଫେରସ୍ତ ଏବଂ ତା’ସହିତ, ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକଚର ଅଧୀନରେ ସେବା ତଥା ପୁଞ୍ଜିଗତ ସାମଗ୍ରୀ ଉପରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ଫେରସ୍ତ ପାଇଁ ଥିବା ପ୍ରସ୍ତାବଗୁଡ଼ିକ ରପ୍ତାନିକାରୀଙ୍କୁ ଲାଭାନ୍ୱିତ କରିବ । ଉତ୍ପାଦନକାରୀଙ୍କୁ ସହଜରେ ୱାର୍କିଙ୍ଗ କ୍ୟାପିଟାଲ ଉପଲବ୍ଧ ହୋଇପାରିବ ।
ଜିଏସଟି ରିଟର୍ଣ୍ଣ ଦାଖଲ ଏବଂ ଦେୟ ତଥା ଆଇଟିସି ସଂଶୋଧନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ସୁପାରିସକୁ ‘ଜିଏସଟି ରିଟର୍ଣ୍ଣ ଏବଂ ପ୍ରକ୍ରିୟା ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ’ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଜିଏସଟି ଟିମ୍ ମଧ୍ୟ ଏହାର ସଦସ୍ୟ ଥିଲେ । ଏହି ବିକଳ୍ପ ବ୍ୟବସ୍ଥାରେ ତଥ୍ୟଗତ ଅମେଳ ଏବଂ ଅନାବଶ୍ୟକ ନୋଟିସ୍କୁ ହ୍ରାସ ହୋଇପାରିବ । ଏହା ବ୍ୟତୀତ, ଜିଏସଟି ଆଇନ କମିଟି ମାଧ୍ୟମରେ ଅନ୍ୟାନ୍ୟ ପ୍ରକ୍ରିୟା-ଭିତ୍ତିକ ସଂସ୍କାରରେ ମଧ୍ୟ ଓଡ଼ିଶା ନିଜର ଯୋଗଦାନ ରଖିଛି । ଜିଏସଟି ଆଇନ ଅଧୀନରେ ସମାଧାନ ଯୋଗ୍ୟ ଥିବା ଆର୍ଥିକ ଅପରାଧଗୁଡ଼ିକ ପାଇଁ ଗିରଫଦାରୀ ବ୍ୟବସ୍ଥାକୁ ହଟାଇବାର ପ୍ରସ୍ତାବ, ଆଇନ କାର୍ଯ୍ୟକାରିତା ଏବଂ କରଦାତାଙ୍କ ଆତ୍ମବିଶ୍ୱାସ ମଧ୍ୟରେ ସନ୍ତୁଳନକୁ ସୁଦୃଢ଼ କରିବ ।
ସାମଗ୍ରିକ ଭାବରେ, ଏହି ସଂସ୍କାରଗୁଡ଼ିକ ବ୍ୟବସାୟିକ ସହଜତା ଏବଂ ଅନୁପାଳନର ସରଳତାକୁ ପ୍ରୋତ୍ସାହିତ କରିବ । ଯାହା ଜିଏସଟି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, କରଦାତା-ଅନୁକୂଳ ଏବଂ ସହାନୁଭୂତିଶୀଳ କରିବ । ଏହା ସହିତ ଓଡ଼ିଶାର MSME ଉଦ୍ୟୋଗ ତଥା ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଯଥେଷ୍ଟ ଆଶ୍ୱସ୍ତି ଓ ସହାୟତା ପ୍ରଦାନ କରିବ । ଯାହା ସେମାନଙ୍କୁ ସହଜରେ ଅନୁପାଳନ କରିବା ସହ ନିଜର ବ୍ୟବସାୟିକ ବିକାଶ ଓ ପ୍ରସାର ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିବ । ଆଇନ ମନ୍ତ୍ରୀଙ୍କ ସହ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ୟାମିନୀ ଷଡଙ୍ଗୀ ଯୋଗ ଦେଇଛନ୍ତି ।







