
ଶିଶୁର ସର୍ବାଙ୍ଗୀଣ ବିକାଶରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସବିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଶିଶୁଙ୍କ ବୌଦ୍ଧିକ, ମାନସିକ ଓ ନୈତିକ ବିକାଶରେ ମାଆଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇସିଡିଏସ୍ ସୁପରଭାଇଜର ଉଷାରାଣୀ ସାହୁ, ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗର ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଗ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ବିଶ୍ୱାଳ ଯୋଗଦେଇଥିଲେ।ଶିଶୁ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ମାଆଙ୍କ ଶିକ୍ଷା, ଆଚରଣ ଓ ମାର୍ଗଦର୍ଶନର ବିଶେଷ ପ୍ରଭାବ ରହିଥାଏ। ତେଣୁ ପିଲାମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଓ ଭାରତୀୟ ସଂସ୍କୃତି ପ୍ରତି ସମ୍ମାନବୋଧ ସୃଷ୍ଟି କରିବା ଦିଗରେ ମାଆମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଦ୍ୟାଳୟ ଓ ପରିବାର ମଧ୍ୟରେ ସୁସମନ୍ୱୟ ସ୍ଥାପନ କରିବା ସହ ଶିକ୍ଷାନୁଷ୍ଠାନ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କର୍ମଶାଳାରେ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମାଆମାନେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ମିହିର ମହାପାତ୍ର, କୋଷାଧ୍ୟକ୍ଷ ଚକ୍ରଧର ପୃଷ୍ଟି ଓ ସଦସ୍ୟା ବବିତା ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀ ସହଯୋଗ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








