
ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ୨୮୪ କୋଟିର ବ୍ୟୟ ଅଟକଳ କରାଯାଇଛି ।
ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୧ ବିଭାଗର ୧୬ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଶା ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ପରେ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ସମସ୍ତ ପ୍ରସ୍ତାବର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୨ଟି, ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ଟି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ(ସଂସଦୀୟ ବ୍ୟାପାର )ସମ୍ପର୍କିତ ଥିଲା ।
ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ । ୪.୨୦ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୬-୨୭ରୁ ୨୦୨୮-୨୯ ଅବଧି ପାଇଁ ଏହି ବ୍ୟୟବରାଦ କରାଯାଇଛି । ୧.୧୭ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସଂଯୁକ୍ତ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବା ସହ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଏଆଇ, କ୍ଳାଉଡ଼ କମ୍ପ୍ୟୁଟିଂ, ଡାଟା ଆନାଲିଟକ୍ସ ଓ ସାଇବସର ସୁରକ୍ଷା ଆଦି ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଦିଆଯିବ ।








