
ଭୁବନେଶ୍ୱର: ନିମ୍ନ ଚାପରେଖା (ଟ୍ରଫ୍ଲାଇନ) ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ସୋମବାର ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ବାକି ସ୍ଥାନରେ ପାଗ ଶୁଖିଲା ରହିବ । ମଙ୍ଗଳବାରଠାରୁ ରାଜ୍ୟରେ ପାଗ ଫିଟିବ । ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ ।
ରବିବାର ପାରଳାଖେମୁଣ୍ଡି ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଥିବାବେଳେ ମାଲକାନଗିରି ୩୫.୬, ବଲାଙ୍ଗୀର ୩୫, ସମ୍ବଲପୁର ୩୪.୪, ଝାରସୁଗୁଡ଼ାରେ ୩୪ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୩.୩ ଡିଗ୍ରୀ ଥିଲା । ଆଜି ଦିନ ଭିତରେ ଭଦ୍ରକ, ଚାନ୍ଦବାଲି ଓ ବାଲେଶ୍ୱରରେ କିଛି କିଛି ବର୍ଷା ହୋଇଥିବା ରେକର୍ଡ ହୋଇଛି ।








