
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ୨୦୧୫ ବିଶ୍ୱକପ୍ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଥିବା ଭାରତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରତିଶୋଧ ନେଇଛି।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୬୪ରେ ଅଲ୍ଆଉଟ୍ ହୋଇଥିଲା। ଯାହା ଫଳରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ଖେଳିବାକୁ ହେଲେ ଭାରତକୁ ୨୬୫ ରନ୍ର ଟାର୍ଗେଟ ମିଳିଥିଲା। ଆଉ ଏହି ଟାର୍ଗେଟକୁ ଭାରତ ୪୮.୧ ଓଭରରେ ୬ ୱିକେଟ ହରାଇ ହାସଲ କରିନେଇଛି।
ସେମିଫାଇନାଲର ପ୍ରଥମ ଇନିଂସ ଖେଳୁଥିବା ଅଷ୍ଟ୍ରେଲିଆ ଉପରେ ପ୍ରଥମରୁ ଭାରତୀୟ ବୋଲରଙ୍କ ପ୍ରଭାବ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ହେଡ୍ ୩୯ ରନ କରିଥିବାବେଳେ ୭୩ ରନ କରିଥିଲେ । ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ଲୋୟରଅର୍ଡର ବ୍ୟାଟରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାମି ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।ଏହାପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ୨୬୫ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ ବି ଗିଲ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ତେବେ ରୋହିତ ଶର୍ମା ଓ ବିରାଟ କୋହଲି ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୮ ରନ କରି ଆଉଟ ହୋଇଥିଲେ ବି ବିରାଟ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିବା ସହ ବିଜୟରେ ସବୁଠାରୁ ବଡ ଯୋଗଦାନ ଦେଇଥିଲେ । ବିରାଟ ୯୮ ବଲ୍ରେ ୮୪ ରନ୍ର ଏକ ଭରସାଯୋଗ୍ୟ ପାଳି ଖେଳିଥିଲେ। ଏଥି ସହିତ ଶ୍ରେୟୟ ଆୟର ୪୫ ରନ ଓ କେଏଲ ରାହୁଲ ୪୨ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍ଦାର ୨୮ ରନ କରି ଭାରତକୁ ବିଜୟୀ କରିବାର ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।




