
ଭୁବନେଶ୍ୱର: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ରୁ ୨୨ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ , ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ୭୦ କିମି ଯାଏଁ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଭଳିସ୍ଥିତିରେ ରବିବାର ରାତିରେ ନୟାଗଡ଼ ଜିଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ଅଚାନକ ପବନ ସାଙ୍ଗକୁ ମାଡି ଆସିଥିଲା କଳାହାଣ୍ଡିଆ ମେଘ। ତାପରେ ଛେଚିଲା ବର୍ଷା। ହେଲେ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଝଡ ତୋଫାନରେ ଉପୁଡି ପଡିଥିଲା ବଡ ବଡ ଗଛ।
ଝଡ଼ ତୋଫାନ ଯୋଗୁ ଅଞ୍ଚଳରେ ବିଦ୍ୟୁତ ସରବରାହ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଉପୁଡି ପଡିଥିବା ଗଛ ଡାଳ କାଟି ରାସ୍ତା ସଫା କରିଥିଲେ। ପରବର୍ତ୍ତୀ ସମୟରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।







