
କଟକ: ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ମାମଲାରେ ଜବାବ ଦାଖଲ ପାଇଁ ଆଜି ପୁଣି ଥରେ ସମୟ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ । ଫେବୃଆରୀ ୨୦୧୭ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜିକରଣ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ପ୍ରଦାନ କରିଛନ୍ତି । ତେବେ ଆସନ୍ତା ବୁଧବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।
ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ ହାଇକୋର୍ଟ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୩ ମସିହାରେ ଜାରି ହୋଇଥିବା ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଚଳିତ ବର୍ଷ ଫେବୃଆରୀ ମାସ ପହିଲାରେ, ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ କିଣାବିକା ନେଇ ଜାରି ହୋଇଥିଲା ବିଜ୍ଞପ୍ତି । ତେବେ ଏହି ବିଜ୍ଞପ୍ତି ଅନୁଯାୟୀ, ୨୦୨୩ ମସିହାରେ ଜାରି ହୋଇଥିବା ସଂଶୋଧିତ ଆଇନ ଅନୁଯାୟୀ, ଆପାର୍ଟମେଣ୍ଟ କିଣାବିକା ହେବ ବୋଲି ଉଲ୍ଲେଖ କରିଥିଲେ ରାଜ୍ୟ ସରକାର । ହେଲେ ଏହି ଆଇନ ୨୦୧୭ ମସିହା ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ଆପାର୍ଟମେଣ୍ଟ ପଞ୍ଜିକରଣ ଉପରେ ଲାଗୁ ହେବ ନାହିଁ ବୋଲି ଚଳିତ ବର୍ଷ ଫେବୃଆରୀ ମାସ ପହିଲାରେ ରାଜ୍ୟ ସରକାର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏକାଧିକ ଆବେଦନକାରୀ ।







