
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଧାନସଭାରେ ଉପସ୍ଥାପନ କରିଛନ୍ତି ୨୦୨୪ ମସିହାରେ ଆଇନଶୃଙ୍ଖଳା ସଂକ୍ରାନ୍ତ ଶ୍ୱେତପତ୍ର। ଏହିବର୍ଷ ରାଜ୍ୟରେ ମୋଟ ୨୧୪୧୧୩ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି ଓ ଏହାମଧ୍ୟରୁ ୨୦୭୨୦୪ଟି ମାମଲା ସତ୍ୟ ଆଧାରିତ ଏଥିରେ ଉଲ୍ଲେଖ ରହିଛି। ସେହିପରି ଏହି ବର୍ଷ ରାଜ୍ୟରେ ୩୫୬ ଡକାୟତି, ୨୫୮୨ ଲୁଣ୍ଠନ, ୬୪୦୮ଟି ସିନ୍ଧିଚୋରି, ୧୭୮୦୫ଟି ଚୋରି, ୬୩୦୭ଟି ପ୍ରତାରଣା, ୧୪୭୧ଟି ଦଙ୍ଗା, ୩୦୫୪ଟି ଦୁଷ୍କର୍ମ, ୧୨୩୫୭ଟି ମୋଟରଯାନ ଦୁର୍ଘଟଣା ଓ ୧୬୨୪୯୭ଟି ବିବିଧ ମାମଲା ଅନ୍ତର୍ଭୁକ୍ତ ରହିଛି। ରୁଜୁ ହୋଇଥିବା ୧୨୫୮ଟି ହତ୍ୟା ମାମଲାରେ ୧୨୧୫ଟି ମାମଲା ସତ୍ୟ ଉପରେ ଆଧାରିତ ବୋଲି ସରକାର ସ୍ୱୀକାର କରିଛନ୍ତି।
ସେଥିମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୫୪୨ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ୨୦୨୩ ତୁଳନାରେ ୨୦୨୪ରେ ଦୁଷ୍କର୍ମ, ସାଇବର ଅପରାଧ, ଆର୍ଥିକ ଠକେଇ ସଂଖ୍ୟା ବୃଦ୍ଧି ପାଇଛି। ତେବେ ୨୦୨୪ ମସିହାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିବା ସରକାର କହିଛନ୍ତି।
ଶ୍ୱେତପତ୍ର ଅନୁଯାୟୀ ବିଦାୟୀ ବର୍ଷରେ ରାଜ୍ୟରେ ୩୫୬ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ୩୪୮ଟି ମାମଲା ସତ୍ୟ ଉପରେ ଆଧାରିତ । ଏହାମଧ୍ୟରୁ ପୁଲିସ ବର୍ଷ ଶେଷ ସୁଦ୍ଧା ମାତ୍ର ୭୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରିଛି। ବିଭିନ୍ନ ଘଟଣାରେ ପୁଲିସ ଦ୍ୱାରା ୪୫ ଜଣ ଆନ୍ତଃରାଜ୍ୟ ଡକାୟତ ସହିତ ମୋଟ ୮୭୩ ଜଣ ଡକାୟତଙ୍କୁ ଗିରଫ କରାଯାଇଛି। ସେହିପରି ମୋଟ ୨୫୮୨ଟି ଲୁଣ୍ଠନ ମାମଲାରୁ ୨୫୪୦ଟି ମାମଲା ସତ୍ୟ ଉପରେ ଆଧାରିତ ଓ ଏହାମଧ୍ୟରୁ ମାତ୍ର ୯୯୦ଟି ମାମଲାରେ ବର୍ଷ ଶେଷ ସୁଦ୍ଧା ଦୋଷାରୋପ ଫର୍ଦ୍ଦ ଦାଖଲ କରିବାରେ ପୁଲିସ ସକ୍ଷମ ହୋଇଛି।
ଶ୍ୱେତପତ୍ର ଅନୁଯାୟୀ ୨୦୨୪ ମସିହାରେ ଏସସି ଓ ଏସଟି ଙ୍କ ଉପରେ ୩୩୦୩ଟି ନିର୍ୟାତନା ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ତନ୍ମଧ୍ୟରୁ ଏଯାବତ୍ ୧୦୯୪ଟି ମାମାଲରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ୫୬ଟି ଚୂଡ଼ାନ୍ତ ରିପୋର୍ଟ ସତ୍ୟ ହୋଇଥିବା ବେଳେ ୬୬ଟି ଭ୍ରମାତ୍ମକ, ୪ଟି ଅଧର୍ତ୍ତବ୍ୟ, ୩୬୫ଟି ମିଥ୍ୟା ପ୍ରମାଣିତ ହୋଇଛି। ତେବେ ୨୦୨୪ରେ ରାଜ୍ୟରେ ସାଇବର ଅପରାଧ ସଂଖ୍ୟା ବଢ଼ୁଥିବା ନେଇ ଶ୍ୱେତପତ୍ରରେ ସ୍ୱୀକାର କରିଛନ୍ତି ସରକାର।୨୦୨୩ରେ ରାଜ୍ୟରେ ମୋଟ ପଞ୍ଜୀକୃତ ହୋଇଥିବା ମାମଲା ଅପେକ୍ଷା ୨୦୨୪ରେ ଏହା ୨୫୦୧କୁ ବୃଦ୍ଧି ପାଇଛି। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ମୋଟ ୫୮୧ଜଣଙ୍କୁ ଗିରଫ ହୋଇଛନ୍ତି ଓ ସେମାନେ ୧୫୪ କୋଟି ୪୫ ଲକ୍ଷ ୮୭ ହଜାର ଠକେଇରେ ଜଡ଼ିତ ଅଛନ୍ତି। ୨୦୨୩ ତୁଳନାରେ ୨୦୨୪ରେ ମଧ୍ୟ ଆର୍ଥିକ ଠକେଇ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ରେ ରାଜ୍ୟରେ ୧୩୬୨ଟି ଆର୍ଥିକ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୧୫୫୩କୁ ବୃଦ୍ଧି ପାଇଛି।
ଅପରପକ୍ଷେ ୨୦୨୪ରେ ୪୩ ହଜାର ୭୪୦ଟି ଏନସିଆରପି ଅଭିଯୋଗ ହୋଇଥିବା ବେଳେ ୧୯୩୦ ହେଲ୍ପଲାଇନ ମାଧ୍ୟମରେ ମୋଟ ୩୮୧୩୫ ଜଣ ଅଭିଯୋଗ କରିଛନ୍ତି। ୨୦୨୪ରେ ପୁଲିସ ପକ୍ଷରୁ ରାଜ୍ୟରେ ୧୪ ଥର ଗୁଳିଚାଳନା କରାଯାଇଥିବା ବେଳେ ମୋଟ ୨୦୦ଟି ଯୌତୁକ ଜନିତ ହତ୍ୟା ମମାଲା ରୁଜୁ କରାଯାଇଛି। ଏଥିମଧ୍ୟରୁ ମାତ୍ର ୬୯ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ପୁନଶ୍ଚ ୨୦୨୪ରେ ରାଜ୍ୟରେ ୨୧୬୦ଟି ମାଦକ ଦ୍ରବ୍ୟ ନିରୋଧୀ ଆଇନ ଅଧିନରେ ମାମଲା ପଞ୍ଜୀକୃତ ହୋଇ ୨୨୭୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୪୫୨ କ୍ୱିଣ୍ଟାଲ ୭୬ କିଗ୍ରା ୯୧୦ ଗ୍ରାମ ଗଞ୍ଜେଇ, ୧୦ କିଗ୍ରା ୦୦୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି।







