
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହେବ ରଥଟଣା। ମାଉସୀମା’ ଘରକୁ ଯିବେ ଶ୍ରୀଲିଙ୍ଗରାଜ। ସେଠାରେ ୪ ଦିନ ରହିବା ପରେ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ହେବ। ଭୋର ସାଢ଼େ ୫ଟାରୁ ସକାଳ ୬ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ, ରୋଷ ହୋମ ଓ ପାକ କାର୍ୟ୍ୟ ସମ୍ପନ୍ନ ହେବ। ସାଢ଼େ ୬ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯିବ। ସେହିପରି ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସୂର୍ୟ୍ୟପୂଜା, ଦ୍ବାରପାଳ ପୂଜା ସକାଳ ୭ଟାରୁ ୮ଟା ମଧ୍ୟରେ ହେବ। ଶ୍ରୀଜୀଉଙ୍କ ସକାଳ ଧୂପ ସକାଳ ୮ଟାରୁ ୯ଟା ୧୫ ମଧ୍ୟରେ କରାଯିବ। ଯାତ୍ରାପୂଜା ମଧ୍ୟାହ୍ନରୁ ଅପରାହ୍ନ ୧୨ଟା ୩୦ ମଧ୍ୟରେ କରାଯିବ। ଶ୍ରୀଜୀଉଙ୍କ ପହଣ୍ଡି ଓ ରଥାରୂଢ଼ ଅପରାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ହେବ। ଅପରାହ୍ନ ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ରଥରେ ପୂଜା କାର୍ୟ୍ୟ ସରିବା ପରେ ରଥଟଣା ଆରମ୍ଭ ହେବ।







