
ନୂଆଦିଲ୍ଲୀ: ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ହାଲ୍।ସକାଳୁ ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି।ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ମଧ୍ୟ ଲଗାତର ବଢ଼ି ଚାଲିଛି। ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି।


