
ତାମିଲନାଡୁ : ଏକ୍ସପ୍ରେସ୍ ଟ୍ରେନରେ ତାଙ୍କ ଖଣ୍ଡବିଖଣ୍ଡ ମୃତଦେହକୁ ଏକ ସୁଟକେସରେ ଛାଡିବା ଘଟଣାରେ ଦମ୍ପତିଙ୍କୁ ଗିରଫ କରାଯାଇଛି । ମଣିପୁରରୁ 2 ଜଣଙ୍କୁ ଗିରଫ କରାଯାଇଛି ବୋଲି ତାମିଲନାଡୁ ପୋଲିସ କହିଛି । ପ୍ରାୟ 340 ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ, ପୋଲିସ ଜାଣିବାକୁ ପାଇଥିଲା ଯେ ହତ୍ୟା ପରେ ଅଭିଯୁକ୍ତମାନେ କିଛି ଜିନିଷପତ୍ର ସହିତ ମଣିପୁରକୁ ଚାଲିଯାଇଥିଲେ ।
ସୁରାକ ଆଧାରରେ, ଚେନ୍ନାଇର ଗୁଡୁଭାଞ୍ଚେରୀ ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଫୋର୍ସ ମଣିପୁର ଜିରିବାମର କାଶିମପୁରରୁ ମୁଖ୍ୟ ଅଭିଯୁକ୍ତ ମାଣିକ ଲସ୍କର (22)ଙ୍କୁ ଠାବ କରି ଗିରଫ କରିଛି । ପଚରାଉଚରା ସମୟରେ, ମାଣିକ ଲସ୍କର, ଆସାମର କଚାରର ଦକ୍ଷିଣ କୃଷ୍ଣପୁରର ସୋନାବାରିଘାଟ ଅଞ୍ଚଳର ବାସିନ୍ଦା ବୋଲି ଚିହ୍ନଟ ହୋଇଛି । ତାଙ୍କ ପତ୍ନୀ ଭାଗମତୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ପଚରାଉଚରା ପାଇଁ ପୋଲିସ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଚେନ୍ନାଇ ଆଣିବାକୁ ଯୋଜନା କରୁଛି ।
ସୂଚନା ଅନୁସାରେ, ଅଗଷ୍ଟ 5 ତାରିଖରେ ଉତ୍ତର ପ୍ରଦେଶ ପୋଲିସ ଆଗ୍ରା ରେଳ ଷ୍ଟେସନରେ ଏକ ପରିତ୍ୟକ୍ତ ସୁଟକେସ୍ ଉଦ୍ଧାର କରିଥିଲା । ସୁଟକେସ୍ ଭିତରୁ ଜଗତସିଂହପୁର ଜିଲ୍ଲାର 38 ବର୍ଷୀୟା ହାୟାତୁନ ନିଶାଙ୍କ ମୃତଦେହ ମିଳିଥିଲା । ଆଗ୍ରା ପୋଲିସ ଏବଂ ସରକାରୀ ରେଳ ପୋଲିସ (GRP) ଦ୍ୱାରା ଏକ ମିଳିତ ତଦନ୍ତରୁ ଜଣାପଡିଥିଲା ଯେ, ସୁଟକେସ୍ଟି ଚେନ୍ନାଇରୁ ଆସିଛି । ଏନେଇ ଚେନ୍ନାଇ ପୋଲିସକୁ ସୂଚନା ଦିଆଯାଇଥିଲା ।
ଚେନ୍ନାଇ ସେଣ୍ଟ୍ରାଲ୍ ରେଳ ଷ୍ଟେସନ୍ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ରୁ ଜଣାପଡିଥିଲା ଯେ, ଜଣେ ପୁରୁଷ ଏବଂ ଜଣେ ମହିଳା ଏକ ଲାଲ ସୁଟକେସ୍ ଧରି ଷ୍ଟେସନ୍ରେ ପ୍ରବେଶ କରିଥିଲେ, ଏହାକୁ ଆଗ୍ରା ଯାଉଥିବା ଏକ ଟ୍ରେନ୍ରେ ଛାଡି ଦେଇଥିଲେ । ପରେ ଚେନ୍ନାଇ ପାର୍କ ରେଳ ଷ୍ଟେସନ୍ରୁ ଗୁଡୁଭାଞ୍ଚେରିକୁ ଅନ୍ୟ ଏକ ଟ୍ରେନ୍ରେ ଚଢ଼ିଥିଲେ ।
ଗୁଡୁଭାଞ୍ଚେରି ରେଳ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳର CCTV ଫୁଟେଜରେ ଦେଖାଯାଇଥିଲା ଯେ, ଦୁଇଜଣ ଗୋଟିଏ ସୁଟକେସ୍ ସହିତ ଗୁଡୁଭାଞ୍ଚେରି ମସଜିଦ୍ ଷ୍ଟ୍ରିଟ୍ ଅଞ୍ଚଳକୁ ଏକ ଅଟୋ-ରିକ୍ସାରେ ଯାତ୍ରା କରୁଛନ୍ତି । ଅଟୋ-ରିକ୍ସାକୁ ଅନୁସରଣ କରି ପୋଲିସ ସେମାନେ ରହୁଥିବା ଭଡ଼ା ଘର ଚିହ୍ନଟ କରିଥିଲା । ଘରେ ପ୍ରବେଶ କରିବା ପରେ, ପୋଲିସକୁ ପ୍ରମାଣ ମିଳିଥିଲା ଯେ, ସେଠାରେ ହାୟାତୁନ ନିଶାଙ୍କୁ ହତ୍ୟା କରାଯାଇଛି । ପୋଲିସ ସନ୍ଦେହ କରୁଛି ଯେ ମୃତଦେହକୁ ଖଣ୍ଡ ଖଣ୍ଡ କରି, ହାଡ଼ଗୁଡ଼ିକୁ ଅଲଗା କରି, ଏକ ସୁଟକେସ୍ରେ ପ୍ୟାକ୍ କରି ତାମିଲନାଡୁ ସୁପରଫାଷ୍ଟ ଏକ୍ସପ୍ରେସରେ କରାଯାଇଥିଲା ।
ଗୁଡୁଭାଞ୍ଚେରି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, “ଶରୀରର ଅବଶିଷ୍ଟ ଅଂଶ ଗୁଡ଼ିକୁ ନଷ୍ଟ କରିବା ପାଇଁ ଏକ ବଡ଼ ବିରିୟାନୀ ହାଣ୍ଡିରେ ମଇଦା ଓ ପରିବା ପକାଇ ରନ୍ଧା ଯାଇଥିଲା । ମୃତ ମହିଳାଙ୍କ ମୁଣ୍ଡକୁ ଖୋଜିବା ପାଇଁ ମଧ୍ୟ ଏକ ସନ୍ଧାନ ଆରମ୍ଭ ହୋଇଛି ।”




