୧୨,୧୫୬ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ

ଭୁବନେଶ୍ୱର: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ୧୨,୧୫୬ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବାଚିନିକ ଭୋଟ୍‌ରେ ଗୃହୀତ ହୋଇଛି। ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ତାହା ଧାର୍ଯ୍ୟ ଅବଧି ଭିତରେ ଖର୍ଚ୍ଚ ହେବ। ଏଥିରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ନାରୀ ଶକ୍ତି, ଓଡ଼ିଆ ଅସ୍ମିତା, କର୍ମନିଯୁକ୍ତି ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଦେବା ସହ ୧୦ଟି ନୂଆ କ୍ଷେତ୍ର ଉପରେ ବ୍ୟୟବରାଦ ହୋଇଛି।
ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ପ୍ରଥମ ଦିନ ଅର୍ଥାତ ଗତ ୨୬ ନଭେମ୍ବରରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥିଲେ। ଏହା ଉପରେ ତିନି ଦିନ ଧରି ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫୁରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ଟି ଗୃହରେ ଗୃହୀତ ପାଇଁ ଆଗତ କରିଥିଲେ। ଏହି ଅବସରରେ ଶ୍ରୀ ହରିଚନ୍ଦନ କହିଥିଲେ, ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଉପସ୍ଥାପନ କରିଥିବା ମୋଟ୍ ୧୨,୧୫୬ କୋଟିର ପ୍ରଥମ ଅତିରିକ୍ତ ବଜେଟ୍ ଭିତରେ ପ୍ରଶାସନିକ ଖର୍ଚ୍ଚ ୧୬୮୫ କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୧୦,୧୫୫ କୋଟି, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପଇଁ ୧୨୦ କୋଟି ଓ ରାଜ୍ୟ ହସ୍ତାନ୍ତର ବାବଦକୁ ୧୯୬ କୋଟି ଅର୍ନ୍ତଭୁକ୍ତ ରହିଛି। ଆନୁପାତିକ ହାରରେ ଦେଖିଲେ କାର୍ଯ୍ୟକ୍ରମ ଖର୍ଚ୍ଚ ୮୪%, ରାଜ୍ୟ ହସ୍ତାନ୍ତର ୨% ଓ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ୦.୫୦% ରହିଛି। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ବିକାଶ ପାଇଁ ୨୭୧୬ କୋଟି ବ୍ୟୟବରାଦ ହୋଇଥିଲାବେଳେ ଆଇନ ଶୃଙ୍ଖଳା ପାଇଁ ୧୩୫୨ କୋଟି, ଭତ୍ତିଭୂମି ବିକାଶ ପାଇଁ ୩୦୮୭ କୋଟି, ଶିକ୍ଷା ପାଇଁ ୧୨୮୬ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୭୬୮ କୋଟି, କୃଷି ଓ ଜଳସେଚନ ପାଇଁ ୩୭୯ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୨୦୨ କୋଟି ବ୍ୟୟବରାଦ ହୋଇଛି। ‘ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଓ ମିଶନ ଶକ୍ତି ପାଇଁ ୨୫ କୋଟି ଅର୍ଥ ବରାଦ ହୋଇଛି। ଭୂତଳ ଜଳ ପାଇଁ ୧୩୦ କୋଟି ଏବଂ ବନ୍ୟା ନିୟନ୍ତ୍ରଣ, ଅଚଳ ଉଠାଜଳସେଚନ ପୁନରୁଦ୍ଧାର ପାଇଁ ୮୦ କୋଟି, ଡ୍ରେନେଜ୍ ପାଇଁ ୬୬ କୋଟି ଓ ଉଠା ଜଳସେଚନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ୧୦ଟି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇଛି। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି ବ୍ୟୟବରାଦ ହୋଇଥିଲାବେଳେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୧୨୫ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨୬ କୋଟି, ନିର୍ବାଚନ ମଣ୍ଡଳୱାରୀ ପାଇଁ ୧୪୨ କୋଟି, ୨୨ ଆଇଟିଆଇ ଉତ୍କର୍ଷ କେନ୍ଦ୍ର ପାଇଁ ୧୩୦ କୋଟି, ଅଗ୍ନିସେବା ଆଧୁନିକୀକରଣ ସଂପ୍ରସାରଣ ପାଇଁ ୬୦ କୋଟି, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପାଇଁ ୫ କୋଟି, ପୁଲିସ ମୋଟର ସାଇକେଲ କ୍ରୟ ପାଇଁ ୩୫ କୋଟି, ସିଏପିଏଫ ମୂତୟନ ପାଇଁ ୨୯୯ କୋଟି ଓ ପୁଲିସ ପ୍ରହରୀ ପାଇଁ ୬୪୯ ଯାନ ଭଡ଼ା ବାବଦକୁ ୧୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ଟି ଗୃହୀତ କରିଛନ୍ତି। ଫଳରେ ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ଅନୁମତି ପାଇଛନ୍ତି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ