
ଭୁବନେଶ୍ୱର : ସୃଷ୍ଟି ହେଲା ବାତ୍ୟାର ଆଖି । ବଙ୍ଗୋପସାଗରରେ ଦ୍ରୁତ ଗତିରେ ସଂଗଠିତ ହେଉଛି ବାତ୍ୟା ‘ଅର୍ଣ୍ଣବ’ । ଉପଗ୍ରହ ଚିତ୍ରରେ ବାତ୍ୟାର ସର୍ପିଳ ଆକୃତି ଅଧିକ ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ର ନିକଟରେ ଆଖି ଭଳି ଗଠନ ବିକଶିତ ହେଉଥିବା ଦେଖିବାକୁ ମିଳିଛି। ବାତ୍ୟା ଅଧିକ ସଂଗଠିତ ହେଉଥିବା ଏହା ସଙ୍କେତ ଦେଉଛି। ବାତ୍ୟାର କେନ୍ଦ୍ର ଚାରିପାଖରେ ଘନ ବାଦଲ ସଂଗଠିତ ହେବା ସହ ସର୍ପିଳ ଆକାରରେ ବାଦଲଗୁଡ଼ିକ ଘୂରିବାରେ ଲାଗିଛି। ବିଶେଷକରି ବାତ୍ୟାର ଆଖି ଗଠନ ପ୍ରକ୍ରିୟା ଏହାର ତୀବ୍ରତା ବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହୋଇପାରେ। ବାତ୍ୟା ଦ୍ରୁତ ଶକ୍ତିଶାଳୀ ହେବା ପାଇଁ ଅନୁକୂଳ ପରିସ୍ଥିତିର ସୂଚନା ଦେଉଛି। କେବଳ ଉପଗ୍ରହ ଚିତ୍ରରେ ଆଖି ଭଳି ଗଠନ ଦେଖାଯିବା ଅର୍ଥ ବାତ୍ୟା ଦ୍ରୁତ ଭାବେ ତୀବ୍ର ହେଉଛି ବୋଲି କୁହାଯାଇପାରିବ ନାହିଁ। ଏଥିପାଇଁ ପବନର ବେଗ, ବାତ୍ୟାର କେନ୍ଦ୍ରୀୟ ଚାପ ଓ ଅନ୍ୟାନ୍ୟ ପାଣିପାଗ ସୂଚକର ଆକଳନ ଜରୁରୀ।







