
ଦେବଗଡ଼:ଦେବଗଡ ଥାନା ପୁଲିସ ଗଜୁରିବଣି ଛକ ନିକଟରୁ ଆଜି କାର ସହ ଗଞ୍ଜେଇ ଜବତ କରିଛି। ପୁଲିସ ଉକ୍ତ ଘଟଣାରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଥାନାର ଗୋଗୁଆ ଗ୍ରାମର ସୁରେଶ ସାମଲକୁ ଅଟକ ରଖିଥିବାବେଳେ ତାଙ୍କର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଦେବଗଡ ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇଥିଲେ। ତେବେ ପୁଲିସ ଗଜୁରିବଣି ଛକ ନିକଟରେ ବସାଲଇ ପଟୁ ଅାସୁଥିବା ୱାଗନର କାର( ଡବ୍ଲୁବି ୨୬ଏସ୫୨୮୨)କୁ ଅଟକାଇ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ଗାଡ଼ିର ସ୍ୱତନ୍ତ୍ର ଚାମ୍ବରରୁ ୧୫ଟି ପ୍ୟାକେଟ୍ରେ ମୋଟ ୧୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୁଲିସ। ଏହାସହିତ ପୁଲିସ ମୋବାଇଲ ଫୋନ, ଟଙ୍କା ଏବଂ ବିଭିନ୍ନ ସାମଗ୍ରର ଜବତ କରିଛି। ସୂଚନାପାଇ ଦେବଗଡ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରିଥିଲେ।




