
ଭୁବନେଶ୍ୱର: ରାଜ୍ୟରେ ଗତ ମଙ୍ଗଳବାର ଠାରୁ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିାଳିଛି। ଅପରପକ୍ଷେ ଆସନ୍ତକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି ରାୟଗଡା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲିଠୁତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ସର୍ବାଧିକ ଖୋର୍ଦ୍ଧା ଟାଙ୍ଗିରେ ୭୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡରେ ୧୪.୪ଡିଗ୍ରୀ ଓ ପାହାଡିଆ ଅଞ୍ଚଳରେ ଦାରିଙ୍ଗିବାଡିରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।