
ଭୁବନେଶ୍ବର : ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ୨,୭୮୦.୧୦ କୋଟି ଟଙ୍କାର ୧୪ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୧୪,୧୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁଗୋଳ, ବଲାଙ୍ଗିର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋରଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲାରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ।
ସୂଚନା ଅନୁଯାୟୀ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରସାୟନ ଓ ରସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଔଷଧ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମାନୁଫାକ୍ଚରିଂ (ଇଏସଡିଏମ), ଇସ୍ପାତ, ଲୁହା ଓ ଫେରୋ ଆଲଏଜ୍, ଇସ୍ପାତ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ ଏବଂ ଭିତ୍ତିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ବୈଠକରେ ଅନୁମୋଦନ ଲାଭ କରିଛି। ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରା.ଲି. ୫୦୦କୋଟି ଟଙ୍କା ବ୍ୟୟରେ ଖୋରଧା/କଟକରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ସେହିପରି ତିୱାନା ନ୍ୟୁଟ୍ରିସନ ଗ୍ଲୋବାଲ୍ ୧୪୦ କୋଟି ଟଙ୍କା ବ୍ୟୟରେ ଗୋ-ଖାଦ୍ୟ ଉତ୍ପାଦନ ୟୁନିଟ୍ କଟକରେ ପ୍ରତିଷ୍ଠା କରିବ। ଏଥିସହ ପ୍ରିମିୟମ ଚିକ୍ ଫିଡ୍ସ ପ୍ରା. ଲି. ଖୋରଧା, କଟକ, ନୟାଗଡ଼ରେ ୧୦୫.୩୮ କୋଟି ଟଙ୍କା ନିବେଶରେ କୁକୁଡ଼ା ଖାଦ୍ୟ ପ୍ରକଳ୍ପ ସ୍ଥାପନ କରିବ। ସାହାନା କ୍ଲୋଦିଂ କମ୍ପାନୀ ଢେଙ୍କାନାଳରେ ୨୫୧.୪୫ କୋଟି ଟଙ୍କା ନିବେଶରେ ପୋଷାକ ତିଆରି ୟୁନିଟ୍ ପ୍ରତିଷ୍ଠା କରିବ। ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ ବଲାଙ୍ଗିରରେ ୧୨୫ କୋଟି ଟଙ୍କା ବ୍ୟୟରେ ଏକ ବୟନ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ପ୍ରାସୋଲ୍ କେମିକାଲ୍ସ ଲି. ଗଞ୍ଜାମରେ ୪୫୦ କୋଟି ଟଙ୍କାର ପୁଞ୍ଜି ନିବେଶରେ ଫସ୍ଫରସ୍ଭିତ୍ତିକ ଡେରିଭେଟିଭ୍ସ ଉତ୍ପାଦନ କାରଖାନା ସ୍ଥାପନ କରିବ। ସୁନ୍ଦରଗଡ଼ରେ ନ୍ୟୁ ଜେନେରେସନ୍ ମାନୁଫାକ୍ଚରିଂ ୮୦ କୋଟି ଟଙ୍କା ଏବଂ ନୂଆପଡ଼ାରେ ହାସଭାନ୍ ରସାୟନ ୫୫ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଶସ୍ତାସୁନ୍ଦର ହେଲ୍ଥ ବଡି ଲି. ୫୬କୋଟି ଟଙ୍କା ବ୍ୟୟରେ ଖୋରଧାରେ ମେଡିକାଲ ଉପକରଣ ୟୁନିଟ୍ ଏବଂ ସିର୍ମା ଏସ୍ଜିଏସ୍ ଟେକ୍ନୋଲୋଜି ଖୋରଧାରେ ୩୦୦ କୋଟି ଟଙ୍କା ନିବେଶରେ ପିସିବି ଆସେମ୍ବ୍ଲି ୟୁନିଟ୍ ସ୍ଥାପନ କରିବେ। କେନ୍ଦୁଝରରେ ମହାତ୍ରିପୁରାସୁନ୍ଦରୀ ମିନେରାଲ୍ସ ଆଣ୍ଡ ମେଟାଲ୍ସ ୧୬୦କୋଟି ଟଙ୍କା ବିନିଯୋଗରେ ସମନ୍ବିତ ଫେରୋ ଆଲୋଏଜ୍ କମ୍ପ୍ଲେକ୍ସ ସ୍ଥାପନ କରିବ। କଟକରେ ଶ୍ରୀଜଗନ୍ନାଥ ଇସ୍ପାତ ୯୦.୯୪ କୋଟି ଟଙ୍କା ଏବଂ ଢେଙ୍କାନାଳରେ ଏନ୍କେଏସ୍ ଆର୍ଥବିଲ୍ଡ ୬୦.୯୮ କୋଟି ଟଙ୍କା ନିବେଶ କରିବେ। ଭିତ୍ତିଭୂମି କ୍ଷେତ୍ରରେ ମହାନଦୀ କୋଲ୍ଫିଲ୍ଡସ ଲି. (ଏମ୍ସିଏଲ୍) ଅନୁଗୋଳ ଜିଲାରେ ସୁଭଦ୍ରା କୋଇଲା ଖଣି ପାଇଁ ୪୦୫.୩୫ କୋଟି ଟଙ୍କା ବ୍ୟୟରେ ଘରୋଇ ରେଳ ସାଇଡିଂ ବିକଶିତ କରିବାକୁ ଯୋଜନା ରଖିଛି।




