ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ, ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତିଙ୍କୁ ବୁଡ଼ାଇବେ: ସୂର୍ଯ୍ୟବଂଶୀ

କିଛିଦିନର ନିରବତା ପରେ ପୁଣିଥରେ ଚର୍ଚ୍ଚାରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ । ତାଙ୍କୁ କଡ଼ା ଭାଷାରେ ସିଧାସଳଖ ଆକ୍ଷେପ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗ ରହିଥିଲାବେଳେ କିଭଳି ଏକ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି ଓ ନବୀନ ନିବାସରେ ବସି ସନ୍ୟାସୀ ଭୈରବାନନ୍ଦ କିଭଳି ଏସବୁ କରାଉଛନ୍ତି ତା’ର ପେଡ଼ି ଖୋଲିଛନ୍ତି ସୂର୍ଯ୍ୟବଂଶୀ । ଦଳ(ବିଜେଡି)କୁ ବୁଡ଼ାଇ ସାରିଛନ୍ତି, ଏବେ ବ୍ୟକ୍ତିବିଶେଷଙ୍କୁ ବୁଡ଼ାଇବା ପାଇଁ ଲାଗିଛନ୍ତି ବୋଲି ସୂର୍ଯ୍ୟଂବଶୀ କଟାକ୍ଷ କରିଛନ୍ତି । ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମର ଆଥଲେଟିକ୍ ଟ୍ରାକରେ ଗାଡ଼ି ପୁରାଇବାକୁ ସେ କେବେବି ଠିକ୍ କହିନାହାନ୍ତି । ପରିସ୍ଥିତି,ପଦମର୍ଯ୍ୟାଦାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିସାରିଛନ୍ତି । ଏକ ଅଭାବନୀୟ ପରିସ୍ଥିତିରେ ସେଦିନ ଟ୍ରାକରେ କାର ବୁଲି ଆସିଥିଲା । ତେବେ ଏଥିପାଇଁ ଟ୍ରାକ୍ କିଛିବି କ୍ଷତିଗ୍ରସ୍ତ ହୋଇନାହିଁ । ଏହାଛଡ଼ା ତାଙ୍କର ଅପରିପକ୍ୱତା ବୋଲି ଯେଉଁମାନେ କହୁଛନ୍ତି ତାକୁ ବି ସେ ସ୍ୱୀକାର କରୁଛନ୍ତି । କେହି ମା’ ପେଟରୁ ପାଠ ପଢ଼ି ଆସିନଥାଏ । ୨୯ବର୍ଷ ବୟସରେ ଅପରିପକ୍ୱତାକୁ ଅସ୍ୱୀକାର କରିବାରେ କୁଣ୍ଠାବୋଧ କରୁନି । କିନ୍ତୁ ଯିଏ ରାଜ୍ୟସାରା ଷ୍ଟାଡ଼ିୟମଗୁଡ଼ିକରେ ପିଚ୍ ଉପରେ ହେଲିକପ୍ଟରକୁ ଓହ୍ଲାଉଥିଲେ ଓ ପଡ଼ିଆକୁ ନଷ୍ଟ କରୁଥିଲେ ତାଙ୍କର କେଉଁ ପରିପକ୍ୱତା ସେତେବେଳେ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମକୁ ସାଧାରଣ ଲୋକ ତ ଦୂରର କଥା ମନ୍ତ୍ରୀମାନଙ୍କୁ ବି ଛଡ଼ାଯାଉନଥିଲା । ଗୋଟିଏ ଲୋକ ସକାଳୁ ସକାଳୁ ଯାଇ ବଗ ଭଳିଆ ଟଙ୍ଗଟଙ୍ଗ ହୋଇ ବୁଲି ଭିଡ଼ିଓ ଛାଡ଼ୁଥିଲେ । ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ । ସୂର୍ଯ୍ୟବଂଶୀର କାର୍ ପଶିବାକୁ ନେଇ ଥରେ କହିଲେ,ଦୁଇଥର କହିଲେ ଠିକ୍ ଅଛି । କିନ୍ତୁ ନବୀନ ନିବାସରେ ବସିଥିବା ଭୈରବାନନ୍ଦ ସନ୍ୟାସୀଙ୍କ କଥାରେ ସୂର୍ଯ୍ୟବଂଶୀକୁ ବ୍ୟକ୍ତିଗତ ଟାର୍ଗେଟ୍ କରାଯାଉଛି । ସାଙ୍ଗିଆ ନାହିଁ, କଲେଜବେଳେ ମଦ ପିଇବା ଭିଡିଓକୁ ଯୋଡ଼ାଯାଉଛି । ସିଏ ତ ଦଳକୁ ବୁଡ଼ାଇଦେଲେ । ଏବେ ବ୍ୟକ୍ତିବିଶେଷଙ୍କୁ ବି ବୁଡ଼ାଇବାରେ ଲାଗିଛନ୍ତି । ଏସବୁ ଲେନିନ୍ ଭାଇ, ତୁଷାର ଭାଇ,ମନ୍ମଥ ଭାଇ ତାଙ୍କ କଥାରେ କହି ହେଉଛନ୍ତି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ମୁଷ୍ଟିଯୁଦ୍ଧ ହେଲା ସେକଥା ମିଡିଆରେ ଚାଲିଲା । ରୁବେନ ବାନାର୍ଜୀ ଆଗରୁ ଭଲ ସାମ୍ବାଦିକ ଥିଲେ । କିନ୍ତୁ ଯେବେ ପାଣ୍ଡୁ ଉପାଖ୍ୟାନ ଲେଖିଲେ ସେ ଖରାପ ହୋଇଗଲେ । ତାକୁ ଦୃଷ୍ଟି ଏଡ଼ାଇବା ପାଇଁ ୟାକୁ ପ୍ରସଙ୍ଗ କରାଗଲା । ସୂର୍ଯ୍ୟବଂଶୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅନେକ ପ୍ରସଙ୍ଗ ଅଛି । ଲୋକେ ପାଣି ପାଉନାହାନ୍ତି ।ଶିକ୍ଷକ ନାହାନ୍ତି । ଏସବୁ ପାଇଁ ବିଜେଡି ଦାୟୀ । ତା’ଉପରେ ଗଠନମୂଳକ ପରାମର୍ଶ ଦିଅନ୍ତୁ । ଉଚ୍ଚଶିକ୍ଷା ବିଭାଗରେ ଯେଉଁସବୁ ସମସ୍ୟା ହୋଇଛି ତାକୁ ତ ୬ମାସରେ ଆମେ କରିଦେଇନୁ । ଯାହା ସମସ୍ୟା ହୋଇଥିଲା ତାକୁ ସମାଧାନ ପାଇଁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ