
ବାରିପଦା: ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ପରେ ବାଘୁଣୀ ଜୀନତ ଓଡ଼ିଶାମୁହାଁ ହୋଇଛି। ସେଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ଶିମିଳିପାଳ ଅଣାଯାଉଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟ ରାତ୍ରିରେ ଜୀନତ୍ ଶିମିଳିପାଳ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡାଯିବ। ଏନେଇ ବାରିପଦା ଆରସିସିଏଫ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଆଜି ରାତି ୮ଟାରେ ଅଲ୍ଲୀପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରିଛନ୍ତି। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସୁଛନ୍ତି। ଏଠାରେ ପହଞ୍ଚିବା ପରେ ଜିନତ୍କୁ ସଫ୍ଟ ଏନକ୍ଲୋଜରରେ ରଖାଯିବ। ଏହାପରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।


