
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏଭଳି ଏକ ଜରିମାନା ଦେବାକୁ ରସିଦ ପଠାଯାଇଛି । ତେବେ ଏହି ଫାଇନ ରାଶି ୧୦ କି ୨୦ ହଜାର ନୁହେଁ ବରଂ ୮ ଲକ୍ଷ ଟଙ୍କାର ଫାଇନ ଦେବାକୁ କୁହାଯାଇଛି । ବାସ୍ତବରେ ଅଖିଳେଶଙ୍କ କାରକେଡ଼ ସହ ତାଙ୍କ ବ୍ୟକ୍ତିଗତ ଗାଡି ନିୟମକୁ ଭାଙ୍ଗି ଦ୍ରୁତ ଗତିରେ ଯାଇଥିବାରୁ ଏହି ଫାଇନ ଜାରି କରାଯାଇଛି । ଏନେଇ ନିଜ ଭୁଲକୁ ସ୍ୱୀକାର କରିବା ପରିବର୍ତ୍ତେ ଅଖିଳେଶ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଯେ “ଆମକୁ ୮ ଲକ୍ଷ ଟଙ୍କାର ଚାଲାଣ ମିଳିଛି। ଗତକାଲି ଆମ ଗାଡ଼ିର ଚାଲାଣ ପାଇଛୁ । ତେବେ ଯିଏ ଚାଲାଣ ଜାରି କରିଛନ୍ତି ସେ ନିଶ୍ଚିତ ଭାବରେ ବିଜେପିର ହୋଇଥିବ, ଆମେ ଏହାର ତଦନ୍ତ କରିବୁ।”
ଅଖିଳେଶ ଯାଦବ କହିଥିଲେ, “ମୁଖ୍ୟମନ୍ତ୍ରୀଙ୍କ ଲୋକମାନେ ଜାଣିଶୁଣି ଚାଲାଣ ଜାରି କରିଥିବେ।” ମିଳିଥିବା ସୂଚନା ମୁତାବକ ଆଗ୍ରା ଏକ୍ସପ୍ରେସୱେରେ ଅଧିକ ଦ୍ରୁତଗତିରେ ଗାଡି ଚଳାଇବା ପାଇଁ ଅଖିଳେଶ ଯାଦବଙ୍କ କାରକେଡ଼ରେ ଥିବା ଗାଡ଼ିଗୁଡ଼ିକୁ ଜରିମାନା କରାଯାଇଛି। ଆଗ୍ରା ଏକ୍ସପ୍ରେସୱେରେ ଗାଡି ଚଳାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ବେଗ ନେଇ ନିୟମ ଅଛି । କିନ୍ତୁ ଅଖିଳେଶଙ୍କ ଗାଡି ସହ ତାଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ ଏହାଠାରୁ ଅଧିକ ବେଗରେ ଯାଇଥିଲେ ଜ୍ଝଯାହାକୁ ନେଇ ତାଙ୍କୁ ଅନଲାଇନ ଚାଲାଣ ଜାରି ହୋଇଛି ।


