
ଭୁବନେଶ୍ୱର:ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସୋମବାର ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ସେଠାରୁ ଫେରିବା ପରେ ପୃଥ୍ବୀରାଜ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ, ରାଜ୍ୟପାଳ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ତାଙ୍କ ସରକାରୀ ବାସଭବନକୁ ଆସିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟପାଳ ଆଲୋଚନା କରିଥିଲେ। ଆଇନ, ନିର୍ମାଣ ଏବଂ ଅବକାରୀ ବିଭାଗକୁ ଆହୁରି ଉତ୍କୃଷ୍ଟତାର ସହ ପରିଚାଳନା କରିବା ଏବଂ ବିକାଶ ମାର୍ଗରେ ଚଳାଇବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଆଇନମନ୍ତ୍ରୀଙ୍କ ଘରକୁ ରାଜ୍ୟପାଳଙ୍କ ଏଭଳି ଗସ୍ତକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିତରେ ଆଲୋଚନା ହେଉଛି। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାକୁ ଅନେକ ସମୟରେ ରାଜଭବନ ଗସ୍ତ କରିଥାନ୍ତି। ହେଲେ ବିଭାଗର ପ୍ରଦର୍ଶନ ଭଲ କରିବାକୁ ମନ୍ତ୍ରୀଙ୍କ ଘରକୁ ରାଜ୍ୟପାଳ ଯିବା ବିଷୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ଖୋରାକ ଯୋଗାଇଛି।