ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ମହିଳା ବ୍ୟାଟିଂ ମାନ୍ୟତାରେ ଭାରତର ସ୍ମୃତି ମାନ୍ଧାନା ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ସାଥୀ ଖେଳାଳି ଶେଫାଳୀ ବର୍ମା ଷଷ୍ଠ ସ୍ଥାନରେ ଓ ଜେମିମା ରୋଡ୍ରିଗ୍ସ ୧୧ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଅଧିନାୟିକା ହରମନପ୍ରିତ୍ କୌର୍ ନିଜର ମାନ୍ୟତାରେ ଉନ୍ନତି ହାସଲ କରି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ବ୍ୟାଟର୍ ବେଥ୍ ମୁନି ପ୍ରଥମ ସ୍ଥାନରେ ଅଛନ୍ତି। ବୋଲରମାନଙ୍କ ମଧ୍ୟରେ ସ୍ପିନ୍ ଅଲ୍ରାଉଣ୍ଡର ଦିପ୍ତି ଶର୍ମା ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦ୍ରୁତ ବୋଲର ରେଣୁକା ସିଂ ଠାକୁର ଷଷ୍ଠସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାରେ ପାକିସ୍ତାନର ସାଦିଆ ଇକ୍ବାଲ୍ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ଅଲରାଉଣ୍ଡର୍ ମାନ୍ୟତାରେ ଭାରତର ଦିପ୍ତି ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି।
ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ବନ୍ଦ
ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍ ମ୍ୟାଚ୍ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…




