
ମାର୍ଚ୍ଚ ମାସର ଡହଡହ ଖରା ଆରମ୍ଭ ହେଉ ହେଉ ଓଡ଼ିଆଙ୍କ ମନ ଧାଉଁଛି ପଖାଳ କଂସା ଆଡ଼କୁ। କିଏ କୁହନ୍ତି ଏହାକୁ ଗରିବର ଆହାର, ତ ଆଉ କିଏ କୁହେ ଶ୍ରମିକର ବଳ। ବାସି ପଖାଳ ମୁଠେ ଖାଇ ତୋରାଣି ଟିକେ ପିଇଦେଲେ, ପାଟିରୁ ଆପେ ଆପେ ବାହାରି ଆସେ ‘ଓଃ କି ଶାନ୍ତି…’। ପେଟ ପାଇଁ ସଂଘର୍ଷ କରୁଥିବା ଶ୍ରମିକ ହେଉ କିମ୍ବା ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ବଡ଼ ବାବୁ। ପଖାଳ କଂସାଟିଏ ପାଖକୁ ଆସିଲେ ସବୁ ଭେଦଭାବ ପାଣି ହୋଇଯାଏ। ଏଇ ତ ଓଡ଼ିଆର ସ୍ୱାଭିମାନ, ଏଇ ତ ଆମ ପଖାଳ।ପିଜ୍ଜା ବର୍ଗରକୁ ପଛରେ ପକାଇଲାଣି ପଖାଳ। ଦହି, ଲେମ୍ବୁପତ୍ର ଆଉ ସୋରିଷ ଲଙ୍କା ଛୁଙ୍କର ବାସନା ଏବେ ତାରକା ହୋଟେଲରୁ ଗଳି କନ୍ଦି ଯାଏଁ। ଧନିଆ, ନଡ଼ିଆ, ଆମ୍ବ ଚଟଣି ସାଙ୍ଗକୁ ସୁନୁସୁନିଆ ଓ କୋଶଳା ଶାଗ ଭଜା ପଖାଳର ସ୍ୱାଦକୁ ଶହେ ଗୁଣ ବଢ଼ାଇ ଦେଉଛି। କିଏ ‘ଚାଇଁ ପଖାଳ’ ଖୋଜୁଛି ତ କିଏ ‘ବାସି ପଖାଳ’। ଗ୍ରାହକଙ୍କ ଏହି ଚାହିଦା ଦେଖି ଛୋଟ ବଡ଼ ସବୁ ହୋଟେଲ ଏବେ ସଜବାଜ। କିନ୍ତୁ ଏସବୁ ଭିତରେ ପଖାଳ ଆଜି ବି ଗରିବର ପ୍ରକୃତ ସାଥୀ।
ସେପଟେ ଓଡ଼ିଆର ଦାଣ୍ଡ ଦୁଆର ଡେଇଁ ପଖାଳ ଏବେ ବିଶ୍ୱ ରେକର୍ଡର ଦ୍ୱାର ଦେଶରେ। ପଖାଳ ପରବ’ ମାଧ୍ୟମରେ ଏହାକୁ ବିଶ୍ୱ ସ୍ତରକୁ ନେବାକୁ ଚାଲିଛି ବଡ଼ ପ୍ରୟାସ। ୮ କୁଇଣ୍ଟାଲ ପଖାଳ ଆଉ ୩୫୬ ପ୍ରକାରର ବ୍ୟଞ୍ଜନ ସହ ବିଶ୍ୱ ରେକର୍ଡ କରିବାକୁ ଅଣ୍ଟା ଭିଡ଼ିଛନ୍ତି OTDC, IHM ଓ ICAR।
ଖାଲି ସାଧାରଣ ଓଡ଼ିଆ କାହିଁକି, ଓଡ଼ିଆଙ୍କ ଆରାଧ୍ୟ ଦେବତା କଳିଆ ସାଆନ୍ତ ବି ପଖାଳ ପ୍ରେମରେ ବିଭୋର। ସୁବାସ ପଖାଳଠାରୁ ଆରମ୍ଭ କରି ମଲ୍ଲିଫୁଲିଆ, ଚିପୁଡା, ଟଭା, ଆଉ ଘିଅ ପଖାଳ। ମହାପ୍ରଭୁଙ୍କ ଛପନ ଭୋଗରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଏହା କେବଳ ଭାତ ଆଉ ପାଣି ନୁହେଁ, ବରଂ ଶ୍ରଦ୍ଧାର ଏକ ସୁବାସିତ ଅନ୍ନ। ଯେଉଁଥିରେ ଅଦା, ଭଜା ଜିରା ଆଉ ଦହିର ମିଶ୍ରଣ ଶରୀର ଓ ମନକୁ ଶାନ୍ତି ଦିଏ।
ଆଜି ବିଶ୍ବ ପଖାଳ ଦିବସ। ଓଡ଼ିଆଙ୍କ ପ୍ରିୟ, ଓଡ଼ିଶାର ପ୍ରିୟ। ଖରାଦିନ ଆସିଲେ ପ୍ରତି ଓଡିଆଙ୍କ ଘରେ ଘରେ ବଢିଯାଏ ପଖାଳର ଆଦର। ଗାଁଠୁ ସହର, ରାସ୍ତାକଡ ହୋଟେଲଠୁ ପଂଚତାରକା ହୋଟେଲ ସବୁଠି ରହିଛି ପଖାଳର ଚାହିଦା। କି ନେତା, କି ମନ୍ତ୍ରୀ, ଧନୀଠୁ ଗରିବ ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା। ଖଟିଖିଆର ଭାତହାଣ୍ଡିରୁ ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ପ୍ରିୟ ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ ଖୁବ୍ ପ୍ରିୟ ପଖାଳ। ମହାପ୍ରଭୁଙ୍କ ପାଖେ ପ୍ରତିଦିନ ଲାଗିହୁଏ ପଖାଳ ଭୋଗ।୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା ‘ପଖାଳ ଦିବସ’। ସେଦିନର ସେହି କ୍ଷୁଦ୍ର ପ୍ରୟାସ ଆଜି ବିଶ୍ୱବ୍ୟାପୀ ପାଳନ କରାଯାଉଛି।




