
ରାଜକୋଟ୍: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ମ୍ୟାଚ୍ ଆୟୋଜନ ହେବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିବା ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରୟାସ କରିବ। ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍ରେ ୭ ଓ ଦ୍ୱିତୀୟରେ ୨ ୱିକେଟ ବିଜୟୀ ହୋଇଥିଲା। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା ଅପରିହାର୍ୟ୍ୟ ହୋଇ ପଡିଛି। ଅର୍ଥାତ ଇଂଲଣ୍ଡ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇସିସି ଟି-୨୦ ରାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନରେ ରହିଥିବାବେଳେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଏହି ମ୍ୟାଚ୍ ଖେଳିବେ ବୋଲି ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ କହିଛନ୍ତି।
ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ବଲ ପେସ୍ ଓ ବାଉନ୍ସ ହେବ। କିନ୍ତୁ ପିଚ୍ ବ୍ୟାଟରଙ୍କୁ ଅଧିକ ସୁହାଇବ। ଏହାପରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୮୯ ରହିଛି। ରନ୍ ଚେଜ୍ କରିବା କଷ୍ଟକର ହେବ। ମ୍ୟାଚ୍ କିନ୍ତୁ ହାଇସ୍କୋରିଂ ହେବ। ଦୁଇ ଦଳ ଏପର୍ୟ୍ୟନ୍ତ ଟି-୨୦ରେ ପରସ୍ପରକୁ ୨୬ଥର ଭେଟିଛନ୍ତି। ଏଥିରୁ ଭାରତ ୧୫ ଓ ଇଂଲଣ୍ଡ ୧୧ଟିରେ ବିଜୟୀ ହୋଇଛି। ଘରୋଇ ମାଟିରେ ଭାରତ ୮ ଓ ଇଂଲଣ୍ଡ ୫ଟିରେ ବିଜୟୀ ହୋଇଛି।




