ଆଜି ୨ୟ ଟି୨୦; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

ରାୟପୁର: ବିଶ୍ବ ଚମ୍ପିଆନ୍‌ ତଥା ବିଶ୍ବର ୧ନଂ ଟ୍ବେଣ୍ଟି୨୦ ଦଳ ଭାରତ ନାଗପୁର ମ୍ୟାଚ୍‌ରେ ତା’ର ଶକ୍ତି ପ୍ରଦର୍ଶନ କରିଛି। ଏକତରଫା ଭାବେ ଏହି ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ୫-ମ୍ୟାଚ୍‌ର ଟି୨୦ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି। ନାଗପୁରରେ ବିଶ୍ବର ୧ନଂ ଦିନିକିଆ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣ କରିଥିବା ବେଳେ ମଧ୍ୟକ୍ରମରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ନିୟମିତ ବାଉଣ୍ଡରୀ ମାରିିଥିଲେ। ଇନିଂସର ଶେଷ ୪ ଓଭରରେ ରିଙ୍କୁ ସିଂହ ଦ୍ରୁତ ରନ୍‌ ସଂଗ୍ରହ କରି ପାରିଥିଲେ। ବ୍ୟାଟିଂ ପିଚ୍‌ ହେଲେ ମଧ୍ୟ ଯେକୌଣସି ଦଳ ପାଇଁ ୨୩୯ ରନ୍‌ର ପିଛାକରି ଜିତିବା କଷ୍ଟକର। ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପରେ ନ୍ୟୁଜିଲାଣ୍ଡ ପ୍ରୟାସ କରିଥିଲେ ମଧ୍ୟ ୪୯ ରନ୍‌ ପଛରେ ରହି ଯାଇଥିଲା। ଶୁକ୍ରବାର ଏଠାରେ ଦ୍ବିତୀୟ ଟ୍ବେଣ୍ଟି୨୦ ଖେଳାଯିବ।

ଏହି ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରୟାସ କରିବ ନ୍ୟୁଜିଲାଣ୍ଡ। ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଦୁଇ ସପ୍ତାହ ପୂର୍ବରୁ ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ଜିତିବା ସହ ଦୃଢ଼ ମନୋବଳ ହାସଲ ଲକ୍ଷ୍ୟରେ ଭାରତ ରହିଛି। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରେ ଭାରତ କ୍ରମାଗତ ୮ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଛି। ଭାରତ ୩୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ମାତ୍ର ୫ଟି ହାରିଛି। ଏଥିରୁ ସ୍ପଷ୍ଟ ଯେ ବିଶ୍ବକପ୍‌ ଜିତିବା ପରଠାରୁ ଭାରତ ଆହୁରି ଶକ୍ତିଶାଳୀ ହୋଇଛି ଏବଂ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଏହାର ପ୍ରଦର୍ଶନରେ ବହୁତ ଉନ୍ନତି ଘଟିଛି। ବିଶ୍ବକପ୍‌ ବିଜୟ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜା ଟ୍ବେଣ୍ଟି୨୦ରୁ ଅବସର ନେବା ପରେ ଯୁବ ଖେଳାଳି ଦଳକୁ ବେଶ୍‌ ସଫଳତା ଦେଇଛନ୍ତି।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ନିର୍ଭିକ କ୍ରିକେଟ୍‌ ଖେଳି ବିଶ୍ବର ପ୍ରାୟ ସମସ୍ତ ଦଳଙ୍କୁ ଧୁଳି ଚଟାଇ ପାରିଛି। ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଦକ୍ଷ ଅଲ୍‌ରାଉଣ୍ଡର ଭାରତୀୟ ଦଳରେ ଥିବାରୁ ଦଳର ଶକ୍ତି ବହୁତ ବୃଦ୍ଧିପାଇଛି। ପୁଣି ବରୁଣ ଚକ୍ରବର୍ତ୍ତୀଙ୍କ ପରି ସ୍ପିନର ପ୍ରାୟ ସମସ୍ତ ମ୍ୟାଚ୍‌ରେ ୱିକେଟ୍‌ ନେଇଥାଆନ୍ତି। ସେଥିପାଇଁ ବରୁଣ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବୋଲର। ଗତ ଦୁଇ ବର୍ଷ ହେଲା ଅଭିଷେକ ଶର୍ମା ବିଶ୍ବର ସମସ୍ତ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଛନ୍ତି। ପାଖାପାଖି ୨୦୦ ଷ୍ଟ୍ରାଇକ୍‌ରେଟ୍‌ରେ ସେ ରନ୍‌ କରୁଛନ୍ତି। ପ୍ରଥମ ମ୍ୟାଚ୍‌ରେ ଅଭିଷେକ ୩୫ ବଲ୍‌ରୁ ୮୪ ରନ୍‌ କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ସଞ୍ଜୁ ସାମ୍‌ସନ ଓ ଈଶାନ କିଷନ୍‌ ବିଫଳ ହୋଇଥିଲେ ହେଁ ଉଭୟଙ୍କୁ ରାୟପୁରରେ ଖେଳିବାର ସୁଯୋଗ ମିଳିବ। ଫର୍ମ ପାଇଁ ସଂଘର୍ଷ କରୁଥିବା ସୂର୍ଯ୍ୟକୁମାର ୨୨ ବଲ୍‌ରୁ ୩୨ ରନ୍‌କରି ଫର୍ମକୁ ଫେରିବା ଭଲି ମନେ ହୋଇଥିଲେ। ରିଙ୍କୁ ସିଂହଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ଥିଲା। ରିଙ୍କୁ ୨୦ ବଲ୍‌ରୁ ଅପରାଜିତ ୪୪ ରନ୍‌ କରିବାରୁ ଦଳ ଶେଷ ୪ ଓଭରରେ ୫୧ ରନ୍‌ କରି ପାରିଥିଲା। ଭାରତୀୟ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ୍‌।

ନ୍ୟୁଜିଲାଣ୍ଡ ବୋଲରଙ୍କୁ ଆରମ୍ଭରୁ ୱିକେଟ୍‌ ନେବାକୁ ପଡ଼ିବ। ବିଶେଷକରି ୨୦୨୫ରେ ଅନ୍ୟତମ ସଫଳ ବୋଲର ଜାକବ୍‌ ଡଫିଙ୍କୁ ନୂଆ ବଲ୍‌ରେ ୱିକେଟ୍‌ ନେବାକୁ ପଡ଼ିବ। କାଏଲ୍‌ ଜେମିସନ୍‌ କିମ୍ବା କ୍ରିଷ୍ଟିଆନ୍‌ କ୍ଲାର୍କଙ୍କ ସ୍ଥାନରେ ମ୍ୟାଟ୍‌ ହେନ୍‌ରି ଖେଳିପାରନ୍ତି। ପୁଣି ଅଲ୍‌ରାଉଣ୍ଡର ମାଇକେଲ ବ୍ରେସ୍‌ୱେଲ ଫିଟ୍‌ ହୋଇଥିବାରୁ ସେ ଇସ୍‌ ସୋଢ଼ିଙ୍କ ସ୍ଥାନ ନେଇପାରନ୍ତି। ଦିନିକିଆ ଶୃଙ୍ଖଳାର ହିରୋ ଡ୍ୟାରିଲ ମିଚେଲଙ୍କୁ ଉପର ଅର୍ଡରରେ ବ୍ୟାଟିଂ ମିଳିପାରେ। ଗ୍ଲେନ୍‌ ଫିଲିପ୍‌ସଙ୍କ ସହ ମାର୍କ ଚାପ୍‌ମ୍ୟାନଙ୍କ ବ୍ୟାଟିଂ ନ୍ୟୁଜିଲାଣ୍ଡକୁ ଉତ୍ସାହିତ କରିଛି। ମୋଟ୍‌ ଉପରେ ବ୍ୟାଟିଂ ଅପେକ୍ଷା ବୋଲିଂକୁ ନେଇ ନ୍ୟୁଜିଲାଣ୍ଡ ଚିନ୍ତିତ। ରାୟପୁର ପିଚ୍‌ରେ ମଧ୍ୟ ଅଧିକ ରନ୍‌ ସ୍କୋର୍‌ ହେବ। ଉଭୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ