
ଭାରତର ପ୍ରଥମ ଶହେ ପ୍ରତିଶତ ସ୍ବଦେଶୀ ରାଇଫଲ ‘ଶେର’। ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ। ଆମେଥିର କୋରୱା ଫ୍ୟାକ୍ଟ୍ରିରେ ଏହି ବନ୍ଧୁକର ସଫଳ ପରୀକ୍ଷଣ ହୋଇଛି। ‘ଶେର’ ହେଉଛି ଏକ ଆସଲ୍ଟ ରାଇଫଲ୍। ଭାରତୀୟ ସେନାର ପୁରୁଣା INSAS ରାଇଫଲ୍ ବଦଳରେ ଏହି ବନ୍ଧୁକର ନିର୍ମାଣ ହେଉଛି। ଏହା ଇଣ୍ଡୋ-ରୁଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ। ଯେଉଁଥିରେ ଭାରତର ୫୦.୫% ଏବଂ ରୁଷିଆର ୪୯.୫% ଅଂଶଧନ ରହିଛି। ଉତ୍ତର ପ୍ରଦେଶର ଆମେଥିରେ ଥିବା କୋରୱା ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏହା ତିଆରି ହେଉଛି। ରାଇଫଲ୍ ଟି କ୍ଲାସିକ୍ କାଲାଶନିକୋଭ୍ ଢାଞ୍ଚାର ଏକ ଆଧୁନିକ ରୂପ। ଓଜନ ପ୍ରାୟ ୩ କିଲୋ ୮୦୦ ଗ୍ରାମ। ମିନିଟ୍ ପ୍ରତି ୭୦୦ ରାଉଣ୍ଡ ଗୁଳି ଫାୟାରିଂ ହୋଇପାରିବ। ଲକ୍ଷ୍ୟ ଭେଦ କ୍ଷମତା ରହିଛି ୮୦୦ ମିଟର। ଏଥିରେ ସ୍ୱତନ୍ତ୍ର ଟେଲିସ୍କୋପ୍, ସାଇଟ୍ ଏବଂ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଲଗାଇବା ପାଇଁ ବ୍ୟବସ୍ଥା ରହିଛି। ରାଇଫଲର ପଛ ଭାଗକୁ ଭାଙ୍ଗି ଛୋଟ କରାଯାଇପାରିବ। ଯାହାଦ୍ୱାରା ଏହାକୁ ଗାଡ଼ି ଭିତରେ ବା ଛୋଟ ଜାଗାରେ ନେବା ଆଣିବା କରିବା ସହଜ ହୁଏ। ଏହାର ହ୍ୟାଣ୍ଡେଲ୍ ଏବଂ ଗ୍ରିପ୍ କୁ ଏମିତି ତିଆରି କରାଯାଇଛି ଯେ ଜଣେ ସୈନିକ କ୍ରମାଗତ ଭାବେ ଗୁଳି ଚଳାଇଲେ ମଧ୍ୟ ହାତ ଥକିବ ନାହିଁ। ଏଥିରେ ସହଜରେ ସ୍ୱତନ୍ତ୍ର ସାଉଣ୍ଡ ସପ୍ରେସର ବା ସାଇଲେନ୍ସର ଲଗାଯାଇ ଗୁପ୍ତ ଅପରେସନ କରାଯାଇପାରିବ। INSAS ରାଇଫଲ୍ ରେ 5.56mm ଗୁଳି ବ୍ୟବହାର ହେଉଥିବା ବେଳେ AK-203 ରେ 7.62mm ର ବଡ଼ ଗୁଳି ବ୍ୟବହାର ହୁଏ। ଯାହା ଶତ୍ରୁକୁ ଗୋଟିଏ ଆଘାତରେ ଧରାଶାୟୀ କରିପାରେ। ସିଆଚିନ୍ ର ବରଫ ହେଉ କି ରାଜସ୍ଥାନର ମରୁଭୂମି, AK-203 ଯେକୌଣସି ପାଣିପାଗରେ ବିନା କୌଣସି ସମସ୍ୟାରେ କାମ କରିପାରିବ।ଏହାକୁ ସଫା କରିବା ଏବଂ ଯତ୍ନ ନେବା ବହୁତ ସହଜ। ସେପଟେମ୍ବର ସୁଦ୍ଧା ଏହାକୁ ସ୍ଥଳସେନାକୁ ହସ୍ତାନ୍ତର ପାଇଁ ଯୋଜନା ରହିଛି। ଏହାପରେ ଏହାକୁ ବାୟୁସେନା, ନୌସେନା ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ ଯୋଗାଇ ଦିଆଯିବ। ୧୦୦% ଭାରତୀୟ ସାମଗ୍ରୀ ବ୍ୟବହାର କରି AK-203 ନିର୍ମାଣ କରାଯାଇଛି।
ଭାରତୀୟ ସେନା ପାଇଁ ପ୍ରାୟ ୫ ହଜାର ୨୦୦ କୋଟି ବ୍ୟୟରେ ୬ ଲକ୍ଷରୁ ଅଧିକ ରାଇଫଲ୍ ଯୋଗାଇବା ପାଇଁ ଚୁକ୍ତି ହୋଇଛି। ଯାହା ୨୦୩୦ ଡିସେମ୍ବର ସୁଦ୍ଧା ଶେଷ ହେବ।




