
କଟକ: ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ପଦ ନିମନ୍ତେ ଗତ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର (ପରୀକ୍ଷା) ଏହି ପରୀକ୍ଷାକୁ ବାତିଲ କରିଥିବା ନେଇ ନିର୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୭ରେ ସାନି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଏସ୍ଓ ପଦରେ ନିଯୁକ୍ତି ଲାଗି ପ୍ରାଥମିକ ପରୀକ୍ଷାରେ ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଗତ ଜୁଲାଇ ୧୩ରେ ମୁଖ୍ୟ ପରୀକ୍ଷା କରାଯାଇଥିଲା। ତେବେ ପରୀକ୍ଷା ପରିଚାଳନା ଏଜେନ୍ସିର କାର୍ୟ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ଫଳରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଉକ୍ତ ମୁଖ୍ୟ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଡିସେମ୍ବର ୭ରେ ଅନୁଷ୍ଠିତ ହେବାକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂ ଇଂରାଜୀ ବିଷୟ ରହିଛି। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ୟ୍ୟନ୍ତ ହେବ। ଏହାପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ, ତୃତୀୟ ସିଟିଂ ଗଣିତ ଅପରାହ୍ନ ୨.୩୦ରୁ ୪.୩୦ ପର୍ୟ୍ୟନ୍ତ କରାଯିବ।


