
ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ସବୁ ସଂସ୍ଥାରେ ସେମାନେ ରାଜନୈତିକ ଭାବେ କେତେ ପଛୁଆ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଶନ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ଏହି କମିଶନର ଅଧ୍ୟକ୍ଷ ଅଛନ୍ତି । ଏଥିସହିତ ଅବସରପ୍ରାପ୍ତ ଆଇଏଏସ ବିଜୟ କୁମାର ପୃଷ୍ଟି ଏହି କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିବେ । ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର କମିଶନ’ର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।
ଏହି କମିଶନ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ, ସେ ଅଞ୍ଚଳର ସମୁଦାୟ ଲୋକସଂଖ୍ୟା ତୁଳନାରେ ଏସଇବିସିମାନଙ୍କର ସଂଖ୍ୟାର ଅନୁପାତ ସମ୍ପର୍କରେ ଅନୁଧ୍ୟାନ କରିବ । ଏହା ସହିତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ତୁଳନାରେ ସେମାନେ ରାଜନୈତିକ ଦୃଷ୍ଟିକୋଣରୁ କେତେ ପଛୁଆ ଅଛନ୍ତି, ତା’ର ସ୍ୱରୂପ ଓ ତାହାର ପ୍ରଭାବ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ ।
ଏହାଦ୍ୱାରା ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଜନସାଧାରଣଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିବ । ସୂଚନାଯୋଗ୍ୟଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଞ୍ଜିନିଅରିଂ ଓ ମେଡିକାଲ ପରି ବୃତ୍ତିଗତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ୧୧.୨୫% ସଂରକ୍ଷଣ’ର ବ୍ୟବସ୍ଥା କରିଛନ୍ତି ।








