ଦୁବାଇ,24।09: ଭାରତୀୟ କ୍ରିକେଟ୍ ଦଳ ଆଜି ପଡ଼ୋଶୀ ବାଂଲାଦେଶକୁ ଭେଟିବ। ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟ୍ରେ ଏବଂ ବାଂଲାଦେଶ ୪ ୱିକେଟ୍ରେ ଶ୍ରୀଲଙ୍କାକୁ ହରାଇ ଏହି ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଉଭୟ ଆତ୍ମବିଶ୍ବାସରେ ରହିଛନ୍ତି। ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଚଳିତ ଏସିଆ କପ୍ର ଏହି ସୁପର-୪ ମ୍ୟାଚ୍ ସୂର୍ଯ୍ୟକୁମାର ଯାଦବଙ୍କ ସେନା ପାଇଁ ଆଉ ଏକ ସହଜ ଲକ୍ଷ୍ୟ ହୋଇପାରେ। କାରଣ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଉଭୟ ଦଳ ୧୭ ଥର ମୁହାଁମୁହିଁ ହୋଇଥିଲା ବେଳେ ବାଂଲାଦେଶ ସେଥିମଧ୍ୟରୁ ମାତ୍ର ଗୋଟିକରେ ବିଜୟୀ ହୋଇପାରିଛି। ସେହିଭଳି ଗତବର୍ଷ ଦୁଇଦଳ ମଧ୍ୟରେ ହାଇଦ୍ରାବାଦଠାରେ ଖେଳାଯାଇଥିବା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ଭାରତ ୧୩୩ ରନ୍ର ବଡ଼ ବ୍ୟବଧାନରେ ଜିତିଥିଲା। ଭାରତକୁ ହରାଇବାର ଦକ୍ଷତା ଆମ ପାଖରେ ରହିଛି ବୋଲି ବାଂଲାଦେଶ ପ୍ରଶିକ୍ଷକ ଫିଲ୍ ସିମନ୍ସ କହି ଏହି ମୁକାବିଲାକୁ ଆହୁରି ରୋଚକ କରି ଦେଇଛନ୍ତି। ଉଭୟ ଦେଶର ପ୍ରଶଂସକ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ପ୍ରଥମ ସୁପର-୪ ଲଢ଼େଇକୁ ନେଇ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।
ଏପର୍ଯ୍ୟନ୍ତ ଅପରାଜିତ ଭାରତୀୟ କ୍ରିକେଟ୍ ଦଳ ବୁଧବାର ବିଜୟୀ ହେଲେ ଫାଇନାଲ୍ରେ ସ୍ଥାନ ପକ୍କା କରିନେବ। ବାଂଲାଦେଶ ଯଦି ଏହି ମ୍ୟାଚ୍ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ, ତାହେଲେ ଫାଇନାଲ୍ ଖେଳିବ। କିନ୍ତୁ ଖେଳାଳି-ଖେଳାଳି ମୁକାବିଲାରେ ଭାରତ ବାଂଲାଦେଶଠାରୁ ଯଥେଷ୍ଟ ଆଗରେ ରହିଛି। ପାକିସ୍ତାନ ବିପକ୍ଷରେ ଦୁଇ ଓପନର ଶୁବମନ୍ ଗିଲ୍ ଓ ଅଭିଷେକ ଶର୍ମା ଧମାକାଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ଅଭିଷେକଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୦ରୁ ଅଧିକ ଥିଲା ବେଳେ ଗିଲ୍ ମଧ୍ୟ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରୁଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ଦୁଇ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ବ୍ୟାଟର୍ ଲିଟନ ଦାସ ଓ ତୌହିଦ ହୃଦୟଙ୍କ ଟ୍ବେଣ୍ଟି-୨୦ ଷ୍ଟ୍ରାଇକ୍ ରେଟ୍ ଯଥାକ୍ରମେ ୧୨୯ ଓ ୧୨୪ ରହିଛି। ବୋଲିଂରେ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କ ଉପରେ ନିର୍ଭରଶୀଳ ରହିବ। ତସ୍କିନ ଅହମଦ ଓ ତନଜିମ ହାସନ ତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ନୂଆ। ଲେଗ୍ ସ୍ପିନର ରିସଦ ହୁସେନ ଓ ଅଫ୍ ସ୍ପିନର ମେହେଦି ହାସନ ରନ୍ ଗତିରେ ଅଙ୍କୁଶ ଲଗାଇବାକୁ ସକ୍ଷମ। ତଥାପି ଏମାନଙ୍କୁ ସମ୍ମୁଖୀନ ହେବାରେ ଭାରତୀୟ ବ୍ୟାଟର୍ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନପାରନ୍ତି। ଭାରତ ମଧ୍ୟ ଏହି ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ଖେଳାଇଥିବା ଏକାଦଶରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ୍।
ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍,ବିଶ୍ବ ଚମ୍ପିଆନ୍ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ
ବଲାଙ୍ଗିର: ବ୍ୟାଙ୍ଗକକ୍ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍ରେ କ୍ରମାଗତ ୨ୟ ଦିନରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…



