
ଦେବଗଡ଼:ଦେବଗଡ଼ ଜିଲ୍ଲାରେ ନବରାତ୍ର ସମୟରେ ଜନ୍ମ ଲାଭ କରିଥିବା ସମସ୍ତ କନ୍ୟାରତ୍ନଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ଡ.ମୃଦୁଳା ଠାକୁର।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଆଜି ବିକାଶ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବରାତ୍ରରେ ଜନ୍ମ ଗ୍ରହଣ କରିଥିବା ସମସ୍ତ କନ୍ୟା ସନ୍ତାନଙ୍କ ମା ମାନଙ୍କୁ ସୁକନ୍ୟା ଯୋଜନା ପାଇଁ ଅର୍ଥ ରାଶି ଏବଂ କିଟ ପ୍ରଦାନ କରାଯାଇଛି।ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଠାକୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେଠାରେ ଜନ୍ମ ଗ୍ରହଣ କରିଥିବା ସମସ୍ତ କନ୍ୟା ରତ୍ନମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ।କନ୍ୟା ରତ୍ନ ହେଲେ ମା ଦୁର୍ଗାଙ୍କ ଅବତାର,ତେଣୁ ସେମାନଙ୍କୁ ସମ୍ମାନ ଦେବା ଅର୍ଥ ଆମ୍ଭେ ମା ଦୁର୍ଗାଙ୍କୁ ସମ୍ମାନ ଦେବା ସହ ସମାନ। ଆଜିକାଲି ପୁଅ ଏବଂ ଝିଅ ମଧ୍ୟରେ କିଛି ଭେଦଭାବ ନାହିଁ।ପୁଅ ଯାହାବି କରିପାରିନାହାନ୍ତି ଝିଅ ମାନେ ତାହା କରୁଛନ୍ତି।କନ୍ୟା ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ସମାଜ ଶିକ୍ଷିତ ହୋଇପାରିବ ଏବଂ ଦେଶ ସମାଜ ଆଗକୁ ଯାଇପାରିବ ଓ କନ୍ୟା ରତ୍ନ ଆଗାମୀ ଭାରତର ଭବିଷ୍ୟତ ବୋଲି କହିଛନ୍ତି ଶ୍ରୀମତୀ ଠାକୁର।ଏହି କାର୍ଯ୍ୟକ୍ରମ ଅବସରରେ ନବରାତ୍ରରେ ଜନ୍ମ ଗ୍ରହଣ କରିଥିବା ସମସ୍ତ କନ୍ୟା ସନ୍ତାନଙ୍କ ପିତା ମାତାଙ୍କୁ ସମ୍ମାନିତ କରିଥିଲେ।ସେମାନଙ୍କୁ ବେବି କିଟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ତିଲେଇବଣି ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଭାତ ଓଝା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା.ମନୋରଞ୍ଜନ ସାମଲଙ୍କ ସମତେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଭାରପ୍ରାପ୍ତ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି ପରିଚାଳନା କରିଥିଲେ।







