
କଟକ: ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି। ସେ କହିଛନ୍ତି, ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେ ନ ମିଳିବାରୁ କହୁଣୀ କରି ଦେଲେ। ଉଭୟ ଦୁଇ ଭଉଣୀ ଭଳି, ଦୁଇ ଭଉଣୀଙ୍କ ଭିତରେ ବାଦ ବିବାଦ ହେଲା। ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି। କମିଟି ସଭାପତି ଦେବୀ ପ୍ରସାଦ ମିଶ୍ର ଏହି ବିବାଦକୁ ସମାଧାନ କରି ସାରିଛନ୍ତି। ଏଭଳି ମଧ୍ୟ ଦଳର ସଭାପତିଙ୍କ ନେତୃତ୍ୱରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସରିଛି । ଅନୁଶାସନ ଦିଗରେ ବିଜେଡି ଭାରତ ବର୍ଷରେ ଶୀର୍ଷକରେ ରହିଛି। ତେଣୁ ଏହି ବିବାଦରେ କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୭ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ରାଜ୍ୟ କାର୍ୟ୍ୟପରିଷଦ ସଦସ୍ୟା ତଥା ଭୁବନେଶ୍ୱର ଜୋନ୍ ମହିଳା ବିଜେଡି କାର୍ୟ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ଛାତ୍ର ବିଜେଡି ମହାସଚିବ ତଥା ଦଳର ମୁଖପାତ୍ର ଇପସିତା ସାହୁ ମୁହାଁମୁହିଁ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାସ୍ଥଳକୁ ଆସିବାର ମାତ୍ର କିଛି ସମୟ ପୂର୍ବରୁ ଚେୟାରରେ ବସିବାକୁ ନେଇ ଦୁଇ ନେତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ସଭା ଶେଷ ହେବାପରେ ନବୀନ ସଭାମଂଚରୁ ମାତ୍ର ୫୦ମିଟର ଦୂରରେ ଶଙ୍ଖଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବାବେଳେ ଦୁଇ ନେତ୍ରୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦୁଇ ନେତ୍ରୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଶାଢ଼ୀ ଚିରା, ଧସ୍ତାଧସ୍ତି ଓ ଚେୟାର ଫିଙ୍ଗା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଏବେ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇପସିତାଙ୍କୁ ପୁଷ୍ପାଞ୍ଜଳି ଦୁଇଥର ଚାପୁଡ଼ା ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି ।




