
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ ସାରିଲେ ୧୦ ହଜାର ବୋନସ ପ୍ରଦାନ କରାଯିବ। ଏହି ଯୋଜନାରେ ୭୫୫୦ କୋଟି ଖର୍ଚ୍ଚ କରିବେ ସରକାର।



