
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୫ ବିଭାଗର ୫ ପ୍ରସ୍ତାବକୁ ମୋହର ମାରିଛନ୍ତି । ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ବେସାମରିକ ସେବା ନିୟମା ବଳୀ ୧୯୮୯ର ସଂଶୋଧନ ହୋଇଛି । ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଓଡିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ରହିଛି । ଆଗାମୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ସର୍ବୋଚ୍ଚ ବୟସ ସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁ ନିବେଦନ ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ସେବା ଓ ପଦବୀ ସର୍ବୋଚ୍ଚ ବୟସ ସୀମା ଅଧିକ ଉଲ୍ଲେଖ ରହିଛି । ୟୁନିଫର୍ମ ସେବା ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଏବଂ ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ, ତା ବ୍ୟତୀତ ଅନ୍ୟ ସମସ୍ତ ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ବୟସସୀମା ଏସସି, ଏସଟି, ଓବିସି, ମହିଳା, ଅବସରପ୍ରାପ୍ତ ସୈନିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ କୋହଳ ହେବ ।
ମୋହନ ସରକାର ପ୍ରଥମ ଥର ଲାଗି ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫ ଆଣିଛନ୍ତି । ଯାହାକୁ କ୍ୟାବିନେଟ ଗ୍ରୀନ ସିଗ୍ନାଲ ଦେଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ।
ଓଡ଼ିଶା ସରକାର ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫କୁ ଅନୁମୋଦନ କରିଛନ୍ତି । ଏହା ଓଡ଼ିଶାର ବୈଷୟିକ ବିକାଶକୁ ଏହି ନୀତି ଆହୁରି ସୁଦୃଢ଼ କରିବ । ଏହି ନୀତି ଓଡ଼ିଶାର ଶ୍ରେଷ୍ଠ ଡିଜିଟାଲ ପରିବର୍ତ୍ତନ ପ୍ରକ୍ରିୟାର ଅଂଶବିଶେଷ ହେବ । ଏହା ସହିତ ଓଡ଼ିଶାର ପ୍ରଯୁକ୍ତି ବିଦ୍ୟା ବିକାଶ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ ଅଧ୍ୟାୟ ହେବ । କୃତ୍ରିମ ବୁଦ୍ଧିମତାର ବ୍ୟବହାରଦ୍ବାରା ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଅପରିସୀମ ସୁଫଳ ମିଳିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ ।ଓଡ଼ିଶା Al Policy-୨୦୨୫ ଚାରିଟି ଦିଗ ରହିଛି । ଏହି ହେଉଛି କୃତ୍ରିମ ବୁଦ୍ଧିମତାର ମୌଳିକ ଭିଭିଭୂମି, ଦକ୍ଷତା, ଶକ୍ତି ଏବଂ ନିୟନ୍ତ୍ରଣାତ୍ମକ ଢାଞ୍ଚା । ଏହା ରାଜ୍ୟର କମ୍ପ୍ୟୁଟିଂ କ୍ଷମତାକୁ ସରଳ କରିବ । ପରିପକ୍ବ ତଥ୍ୟ ପ୍ରଦାନ କରିପାରିବ । ଶିଳ୍ପ ଓ ଶିକ୍ଷା ମଧ୍ଯରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଏହି ନୀତି ରାଜ୍ୟର ବୈଷୟିକ ଦକ୍ଷତା ବୃଦ୍ଧି ସହ ଏକ ପ୍ରଭାବୀ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଏକ ସ୍ବତନ୍ତ୍ର Al ମିଶନର ସୃଷ୍ଟି ଦ୍ୱାରା ସରକାରୀ ବିଭାଗଙ୍କ ମଧ୍ୟରେ AI ପ୍ରୟୋଗର ପ୍ରୟାସ ଗୁଡିକୁ କାର୍ଯ୍ୟାନ୍ବିତ କରିବା ପାଇଁ ସର୍ବୋଚ୍ଚ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ । ସମୟ ଉପଯୋଗୀ ବିକାଶମୂଳକ ପ୍ରକଳ୍ପ ପ୍ରସ୍ତୁତି, ପାଇଲଟ ପ୍ରକଳ୍ପଗୁଡିକ ମଧ୍ୟରେ ସମନ୍ଵୟ ସ୍ଥାପନ ତଥା ସରକାରୀ ସଂସ୍ଥା, ଷ୍ଟାର୍ଟଅପ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁସନ୍ଧାନ ଓ ବିକାଶମୂଳକ କାର୍ଯ୍ୟରେ ମାର୍ଗଦର୍ଶନରେ ସହାୟତା ହେବ ।








