
ପୁରୀ: ଗୁରୁବାର ମହାପ୍ରଭୁଙ୍କ ଦୟଣା ଚୋରି ନୀତି ପାଳନ ହେବ । ଜଗନ୍ନାଥ ବଲ୍ଲଭକୁ ଠାକୁରଙ୍କ ସହ କନ୍ଦର୍ପପଟି ବିଜେ ହେବେ । ଦୟଣା ଚୋରି କରି ଠାକୁରେ ବନ୍ଧା ହେବେ । ତ୍ରୟୋଦଶୀରେ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହେବ । ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ ବନ୍ଧା ହେବେ । ଶ୍ରୀମନ୍ଦିର ଭୋଗମଣ୍ଡପ ଘରେ ବନ୍ଧନ ଅବସ୍ଥାରେ ଠାକୁରଙ୍କୁ ରାତି ବିତାଇବାକୁ ହେବ । ସେଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ମଠରେ ପହଞ୍ଚିବେ । ଅଧିବାସ ହୋଇଥିବା କନ୍ଦର୍ପ ପଟିଙ୍କୁ ପାଲିଙ୍କି ସମ୍ମୁଖରେ ସ୍ଥାପନା କରାଯାଇଥିବ । ଶ୍ରୀରାମକୃଷ୍ଣ ଓ କନ୍ଦର୍ପପଟି ମଠ ପରସରରେ ବିଜେ ହେବେ ।
କନ୍ଦର୍ପପଟିଙ୍କୁ ସମ୍ମୁଖରେ ବିଜେ କରାଯାଇ ବିଧି ଅନୁସାରେ ହୋମ ଯଜ୍ଞ ହେବ । ପ୍ରସାଦ ଲାଗି, ବନ୍ଦାପନା ଓ ଚାମର ଆଲଟ ବଢିବ । ଠାକୁରଙ୍କୁ ଖିରି ପିଠା ଭୋଗ ଲାଗିବ । ପରେ ବିଧି ମତେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ଦୟଣା ଲାଗି କରାଯିବ । ଏହି ସ୍ୱତନ୍ତ୍ର ନୀତି ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ୟ୍ୟ ବନ୍ଦ ରହିବ ।







