
ଭୁବନେଶ୍ବର: ଚାଷୀଙ୍କ ନିକଟରେ ପହଞ୍ଚିବେ କୃଷି ଛାତ୍ରଛାତ୍ରୀ । ଫସଲର ରୋଗପୋକ ନିରୀକ୍ଷଣଠୁ ଆରମ୍ଭ କରି ସରକାରୀ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବେ । ରାଜ୍ୟର ୩୧୪ଟି ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ରଛାତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ‘କୃଷି ଉନ୍ନତ ସହଯୋଗୀ’ କାର୍ଯ୍ୟକ୍ରମ ।
ଓୟୁଏଟିର କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ।
ଅକ୍ଟୋବରରୁ ଡିସେମ୍ବର—ତିନି ମାସ ପାଇଁ କୃଷି ଓ ଉଦ୍ୟାନ କୃଷି ଶାଖାର ଶେଷ ବର୍ଷର ୯୬୪ ଜଣ ଛାତ୍ରଛାତ୍ରୀଙ୍କୁ ‘ସହଯୋଗୀ’ ଭାବେ ନିୟୋଜିତ କରାଯାଇଛି । ପ୍ରତି ବ୍ଲକରେ ୨ରୁ ୩ ଜଣ ଛାତ୍ରଛାତ୍ରୀ କାର୍ଯ୍ୟ କରିବେ । ସେମାନେ e-Pest Surveillance ଓ NPSS ମାଧ୍ୟମରେ ଫସଲର ରୋଗପୋକ ସ୍ଥିତି ନିରୀକ୍ଷଣ କରିବେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ୧୦୦ ଜଣ କୃଷକଙ୍କ ସର୍ବେକ୍ଷଣ କରିବା ସହ ୫ଟି ଫସଲ ଅମଳ ପରୀକ୍ଷଣ କରିବେ । ଏହାସହ କୃଷି ସାମଗ୍ରୀ ବିକ୍ରେତା, FPO, SHG ଓ PACS/LAMPS ପରିଦର୍ଶନ କରି ଚାଷୀଙ୍କୁ ସରକାରୀ ଯୋଜନା ଏବଂ କୃଷି ଆପ୍ଲିକେସନ୍ ସମ୍ପର୍କରେ ସଚେତନ କରାଇବେ ।
ସୋମବାରରୁ ଶୁକ୍ରବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ କ୍ଷେତ୍ର ସ୍ତରରେ କାମ କରିବେ ସହଯୋଗୀ । KUS App ଓ ADAPT Dashboard ମାଧ୍ୟମରେ ସେମାନଙ୍କ ପ୍ରଦର୍ଶନର ଡିଜିଟାଲ୍ ନିରୀକ୍ଷଣ କରାଯିବ । ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ସାପ୍ତାହିକ ଭାବେ କାର୍ଯ୍ୟର ସମୀକ୍ଷା କରିବେ ।
ତିନି ମାସର ଇଣ୍ଟର୍ନସିପ୍ ସଫଳତାର ସହ ଶେଷ କରୁଥିବା ଛାତ୍ରଛାତ୍ରୀଙ୍କୁ ୨୧ ହଜାର ଟଙ୍କାର ଷ୍ଟାଇପେଣ୍ଡ /ପ୍ରୋତ୍ସାହନ ରାଶି ସହ ସମାପ୍ତି ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ କୃଷି ଶିକ୍ଷାକୁ କ୍ଷେତ୍ର ଅନୁଭୂତି ସହ ଯୋଡ଼ିବା ସହ ଚାଷୀ ଓ କୃଷି ବିଭାଗ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କୁହାଯାଇଛି ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ରାଜ୍ୟରେ କୃଷିର ବିକାଶ କରିବା ସହ ଏକ ମଜବୁତ କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଛାତ୍ରଛାତ୍ରୀ ଅନୁଭୂତିରୁ ବହୁତ କିଛି ଶିଖିବେ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କାମରେ ସାହାଯ୍ୟ କରିବ ।” ସେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠା, ନମ୍ରତା ଓ ସେବା ମନୋଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ କୃଷି ବିଭାଗ, ବିଶ୍ୱବିଦ୍ୟାଳୟ ଓ କୃଷକ ସମ୍ପ୍ରଦାୟର ମିଳିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଉନ୍ନତ ପ୍ରଦର୍ଶନ କରିଥିବା ୫ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଅନୁଭୂତିକୁ ଲୋକଙ୍କ ସହ ବାଣ୍ଟିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।







