
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍ ବାଜିଛି । ୯ରେ ପ୍ରାର୍ଥୀପତ୍ର ନାମାଙ୍କନ ହେବ । ୧୫ ତାରିଖରେ ନିର୍ବାଚନ ହେବ । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପୂର୍ବ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀକୁ ଅନୁସରଣ କରିଛି । ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀମାନେ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ସେହିପରି ପ୍ରାର୍ଥୀଙ୍କ ବୟସସୀମା ୧୭ରୁ ୨୨ ବର୍ଷ ରହିବ । ଏତିକି ନୁହେଁ ପ୍ରତି ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ଏନେଇ ବିସ୍ତୃତ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ, ନିର୍ବାଚନୀ ଖର୍ଚ୍ଚ, ଆଚରଣ ବିଧି, ଅଭିଯୋଗ ନିବାରଣ ସେଲ୍, ମନୋନୟନ ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ ଜାରି କରିଛି । ସଂପୂର୍ଣ୍ଣ ଭାବେ ଲିଙ୍ଗ୍ଡୋ କମିଶନରଙ୍କ ସୁପାରିଶ ନିର୍ବାଚନ ପ୍ରକ୍ରିୟାରେ ପାଳନ କରାଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ କହୁଛି, ପିପିପି ମୋଡ୍ରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀ ପ୍ରାର୍ଥୀ କିମ୍ବା ଭୋଟର ଭାବେ ଅଂଶଗ୍ରହଣ କରିପାରିବେ ନାହିଁ । ଯୋଗ୍ୟତା ମାନଦଣ୍ଡରେ ରହିଛି, ପ୍ରାର୍ଥୀ ପାଇଁ ନାମାଙ୍କନ ଭରୁଥିବା ଛାତ୍ରଛାତ୍ରୀଙ୍କ ବୟସ ମସୀମା ଯୁକ୍ତ ତିନି (ସ୍ନାତକ) ସ୍ତରରେ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ରହିବ । ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ ସର୍ବାଧିକ ୨୫ ବର୍ଷ ରହିବ । ସେହିପରି ନିର୍ବାଚନ ଲଢ଼ୁଥିବା ବର୍ଷରେ ପ୍ରାର୍ଥୀଙ୍କ କୌଣସି ବିଷୟରେ ବ୍ୟାକ୍ (ଏକାଡେମିକ୍ ଏରିଅର) ନଥିବା ଆବଶ୍ୟକ । ସେହିପରି ନିର୍ବାଚନରେ ଭାଗ ନେବା ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଥିବା ବାଧ୍ୟତାମୂଳକ । ଜଣେ ପ୍ରାର୍ଥୀ କୌଣସି ପଦବି ଅର୍ଥାତ୍ ସଭାପତି, ଉପସଭାପତି, ସାଧାରଣ ସଂପାଦକ, ଆସିଷ୍ଟାଣ୍ଟ ସଂପାଦକ, ସାଂସ୍କୃତିକ ସଂପାଦକ, କ୍ରୀଡ଼ା ସଂପାଦକ ଭଳି ପଦବି ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ । କିନ୍ତୁ କାର୍ଯ୍ୟକାରୀ ସଦସ୍ୟ ଭଳି ପଦବି ପାଇଁ ସର୍ବାଧିକ ଦୁଇଥର ନିର୍ବାଚନ ଲଢ଼ିପାରିବେ । ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ, ଦଣ୍ଡ ବିଧାନ କିମ୍ବା ଶିକ୍ଷାନୁଷ୍ଠାନ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଆବଶ୍ୟକ । ସଂପୃକ୍ତ ଅନୁଷ୍ଠାନରେ ସାମ୍ସ ମାଧ୍ୟମରେ ନାମ ଲେଖାଇଥିବା ନିୟମିତ ବା ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ । ମାତ୍ର ଦୂରନିରନ୍ତର ଶିକ୍ଷା କିମ୍ବା ପିପିପି ମୋଡ୍ର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେବେ ନାହିଁ ।
ଉଚ୍ଚଶିକ୍ଷା ବିଭାଗ ଏହା ମଧ୍ୟ କହିଛି, ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଯାଏ ଖର୍ଚ୍ଚ କରିପାରିବେ । ଫଳାଫଳ ଘୋଷଣାର ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଖର୍ଚ୍ଚ ହିସାବ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବେ । ଏହା ଏଚ୍ଆଇଏମ୍ଏସ୍ ପୋର୍ଟାଲ୍ରେ ସର୍ବସାଧାରଣ କରାଯିବ । ସେହିପରି ଆଚରଣ ବିଧିକୁ ସମସ୍ତେ ମାନିବେ । ଯେଉଁଥିରେ ଜାତି, ଧର୍ମ, ଭାଷା କିମ୍ବା ସଂପ୍ରଦାୟ ଆଧାରରେ ଉତ୍ତେଜନା ସୃଷ୍ଟି କରୁନଥିବା ଆଚରଣ କିମ୍ବା ଭୋଟ ଭିକ୍ଷା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଧର୍ମାନୁଷ୍ଠାନକୁ ପ୍ରଚାର ପାଇଁ ବ୍ୟବହାର କରାଯିବ ନାହିଁ । ସୋସିଆଲ ମିଡିଆରେ ଅଶ୍ଲୀଳ ଭାଷା, ମିଥ୍ୟା ସୂଚନା, ବ୍ୟକ୍ତିଗତ ଆକ୍ଷେପ କିମ୍ବା ଏଆଇ ଦ୍ୱାରା ପ୍ରସ୍ତୁତ ନକଲି ବିଷୟବସ୍ତୁ ପ୍ରସାରଣ ଉପରେ କଡ଼ା କଟକଣା ଲଗାଯାଇଛି । ଛପା ପୋଷ୍ଟର, ପାମ୍ପଲେଟ୍ ବ୍ୟବହାରକୁ ବାରଣ କରାଯାଇଛି । କେବଳ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଥିବା ସ୍ଥାନରେ ହାତ ତିଆରି ପୋଷ୍ଟର ଲଗାଯାଇପାରିବ। ଲାଉଡସ୍ପିକର, ଗାଡ଼ି କିମ୍ବା ପଶୁଙ୍କୁ ବ୍ୟବହାର କରି ଶୋଭାଯାତ୍ରା କରାଯିବ ନାହିଁ । କ୍ୟାମ୍ପସ ବାହାରେ କୌଣସି ପ୍ରଚାର କିମ୍ବା ଶୋଭାଯାତ୍ରା କରାଯିବ ନାହିଁ। ପୁଲିଂ କେନ୍ଦ୍ରର ୧୦୦ ମିଟର ପରିସର ମଧ୍ୟରେ ପ୍ରଚାର କିମ୍ବା ଭୋଟ ଶେଷ ହେବାର ପୂର୍ବ ୨୪ ଘଣ୍ଟା ମଧ୍ୟରେ କୌଣସି ସଭା କରାଯାଇପାରିବ ନାହିଁ ।
ଭୋଟ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ପୁଲିଂ ଅଞ୍ଚଳ ସଫା କରିବା ପ୍ରାର୍ଥୀଙ୍କ ମିଳିତ ଦାୟିତ୍ୱ ବୋଲି ବିଭାଗ ସ୍ପଷ୍ଟ କରିଛି । ନଚେତ୍ ପ୍ରତି ପ୍ରାର୍ଥୀଙ୍କ ଉପରେ ୧୫୦୦ ଟଙ୍କାର ଜରିମାନା ଲାଗୁ ହେବ । ଆବଶ୍ୟକ ସ୍ଥଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୧୯୬ ଓ ନବମ ଅଧ୍ୟାୟ ଧାରା ୧୬୯ରୁ ୧୭୭ର ବ୍ୟବସ୍ଥା ଲାଗୁ ହେବ । କୌଣସି ପ୍ରକାରର ଆଇନଶୃଙ୍ଖଳା ବିପର୍ଯ୍ୟୟ ବା ଅପରାଧିକ ଘଟଣା ଘଟିଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସର୍ବାଧିକ ୬ଘଣ୍ଟା ମଧ୍ୟରେ ପୁଲିସକୁ ଜଣାଇବେ । ଜିଲ୍ଲା ନୋଡାଲ୍ ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବେ ।
ଏହା ମଧ୍ୟ କୁହାଯାଇଛି, ପ୍ରତି ଶିକ୍ଷାନୁଷ୍ଠାନରେ ଛାତ୍ର କଲ୍ୟାଣ ଡିନ୍ ଦାୟିତ୍ୱରେ ଥିବା ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ନିବାରଣ ସେଲ୍ ଗଠନ କରାଯିବ । ଏଥିରେ ଜଣେ ବରିଷ୍ଠ ଅଧ୍ୟାପକ, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଶେଷ ବର୍ଷର ଦୁଇଜଣ ଛାତ୍ରଛାତ୍ରୀ ସଦସ୍ୟ ରହିବେ । ଫଳାଫଳ ଘୋଷଣାର ୩ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ନିର୍ବାଚନ ସଂପର୍କିତ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଏହି ସେଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନୁଷ୍ଠାନର ମୁଖ୍ୟ ଏହାର ଆପିଲେଟ୍ କର୍ତ୍ତୃପକ୍ଷ ରହିବେ ।








